- ‘କଂଗ୍ରେସକୁ ବିଜେପି ଭୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଭାଷଣରୁ ସ୍ପଷ୍ଟ ହୋଇଛି’
- ‘ବିଜେଡି-ବିଜେପିର ମିଳିତ ରଣନୀତି କାମ ଦେବନାର୍ହି ; କଂଗ୍ରେସର ବିଜୟ ଅବଶ୍ୟମ୍ଭାବୀ’
- ‘ଭୋଟ ଚୋର, ପ୍ରାର୍ଥୀ ଚୋର’ ବିଜେପିକୁ ନୂଆପଡ଼ାରେ ଶକ୍ତ ଧକ୍କା ଲାଗିବ ; ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନହେବା ତା’ର ପୂର୍ବାଭାଷ
ନୂଆପଡା : ବିଜେଡି-ବିଜେପି ଭାଇଭାଇ । ଚଳିତ ନୂଆପଡ଼ା ଉପନିର୍ବାଚନ ଏହି କଥାକୁ ପୁଣିଥରେ ପ୍ରମାଣ କଲା । ଅନ୍ୟ ଜିଲ୍ଲାରୁ ପ୍ରାର୍ଥୀ ଦେଇ ବିଜେଡି ତିନି ନମ୍ବରକୁ ଖସିବା ନିଶ୍ଚିତ କରିଛି ବୋଲି ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରକାଶ କରିଛନ୍ତି । ନୂଆପଡ଼ାଠାରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସେ ଆହୁରି କହିଛନ୍ତି, ଖୁଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବିଜେପିର ଲଢ଼େଇ କଂଗ୍ରେସ ସହ ହେଉଛି ବୋଲି ଗୁରୁବାର ନୂଆପଡ଼ା ସଭାରେ କହିବା ଏହି କଥାକୁ ସୂଚାଉଛି । ମୁଖ୍ୟମନ୍ତ୍ରୀଙ୍କ କଥାରୁ କଂଗ୍ରେସ ଆଗୁଆ ଥିବା ନେଇ ବିଜେପି ଆକଳନ କରୁଥିବା ଆଭାସ ମିଳୁଛି । କେବଳ କଂଗ୍ରେସକୁ ହରାଇବା ପାଇଁ ହିଁ ଦୁଇଦଳ ମିଳିତ ରଣନୀତି କରୁଛନ୍ତି । ପ୍ରଥମେ ବିଜେପି ଜଣେ ଯୋଗ୍ୟ ପ୍ରାର୍ଥୀ ନ ପାଇବାରୁ ବିଜେଡିରୁ ଜୟ ଢୋଲକିଆଙ୍କୁ ରାତାରାତି ଛଡ଼ାଇ ନେଇ ନିଜ ଦଳକୁ ନେଇ ପ୍ରାର୍ଥୀ ଘୋଷଣା କଲା । ତେବେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦିତା ହେଲେ କଂଗ୍ରେସର ବିଜୟ ସୁନିଶ୍ଚିତ ଜାଣି ‘ବିଜେପି ପଛେ ଜିତୁ’ ନ୍ୟାୟରେ ବିଜେଡି ଜାଣିଶୁଣି ଦୁର୍ବଳ ପ୍ରାର୍ଥୀ ଦେଲା । ତେବେ କଂଗ୍ରେସ ଦଳ ଏହି ନିର୍ବାଚନରେ ଏତେ ଆଗୁଆ ଅଛି ଯେ କୌଣସି ସମୀକରଣ ଆଉ ଦଳକୁ ହରାଇପାରିବନି ବୋଲି ଶ୍ରୀ ଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ପ୍ରଥମତଃ, ମୂଳରୁ କଂଗ୍ରେସ ପ୍ରାର୍ଥୀ ଘୋଷିତ ହୋଇଥିବା ଘାସିରାମ ମାଝୀ ଏକମାତ୍ର ପ୍ରାର୍ଥୀ ଯାହାଙ୍କୁ କି ନୂଆପଡ଼ା ମାଟିର ପୁଅ ବୋଲି କୁହାଯାଇପାରେ । ଏହି ଦକ୍ଷ ଆଦିବାସୀ ଆଇନଜିବୀ ଅତୀତରେ ୫ ଥର ବିଧାନସଭା ନିର୍ବାଚନ ହାରିଥିଲେ ମଧ୍ୟ ପ୍ରତିଥର ତାଙ୍କ ଭୋଟ ବଢ଼ିବଢ଼ି ଶେଷରେ ଗତଥର ୫୦ ହଜାର ୯୪୧ରେ ପହଞ୍ଚିଥିଲା । ଯେଉଁ ପ୍ରାର୍ଥୀ ଗତଥର ପିର୍ଦ୍ଦଳୀୟ ଭାବେ ଏତେ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ଏଥର ‘ଭୋଟ ଚୋର, ପ୍ରାର୍ଥୀ ଚୋର’ ବିଜେପିକୁ ହରାଇବା ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି । କିଛିବର୍ଷ ହେଲା ନୂଆପ଼ଡାବାସୀ ଦେଉଳ ଗଢ଼ିଥିଲେ, ଏଥର ମୁଣ୍ଡି ମାରିବେ । ଆହୁରି ମଧ୍ୟ, ଅବିଭକ୍ତ କଳାହାଣ୍ଡି ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ ତଥା ପିସିସି ସଭାପତି ଭକ୍ତଚରଣ ଦାସ ମୂଳରୁ ଶ୍ରୀ ମାଝୀଙ୍କ ନିର୍ବାଚନ ମଙ୍ଗ ଧରିଛନ୍ତି । ତାଙ୍କ କଳାହାଣ୍ଡି ଲୋକସଭା ଆସନ ଅନ୍ତର୍ଗତ ନୂଆପଡ଼ା ବିଧାନସଭା କ୍ଷେତ୍ରରେ ତାଙ୍କର ମଧ୍ୟ ଗ୍ରହଣୀୟତା ରହିଛି । ଅନ୍ୟ ପକ୍ଷରେ ବିଜେଡି-ବିଜେପି ଦଳର ସମସ୍ତ ନେତାଙ୍କ ଭିତରୁ କେହି ସେପରି କଳାହାଣ୍ଡିର ବଡ଼ନେତା ନାହାନ୍ତି । ବିଜେପି ସରକାରର କୁଶାସନ ବିରୋଧରେ ଜନାଦେଶ ପାଇଁ ଏଥରର ନୂଆପଡ଼ା ଉପନିର୍ବାଚନ ପ୍ରକୃଷ୍ଟ ସୁଯୋଗ । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନହେବା ଏହି ଜନାଦେଶର ପୂର୍ବାଭାଷ । ଏହି ନିର୍ବାଚନରେ କଂଗ୍ରେସ ଜିଣିବା ସହ ରାଜ୍ୟର ରାଜନୈତିକ ପାଣିପାଗ ବଦଳିବ । ଏମିତିରେ ସମସ୍ତ ଗୁରୁତ୍ୱତ୍ପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟବାସୀ କଂଗ୍ରେସକୁ ପ୍ରମୁଖ ବିରୋଧୀ ଦଳର ଅନୌପଚାରିକ ମାନ୍ୟତା ଦେଇସାରିଛନ୍ତି । ଏହି ନିର୍ବାଚନ ପରେ କଂଗ୍ରେସ ପୁଣି ରାଜ୍ୟର ଏକ ନମ୍ବର ଦଳ ହେବା ଦିଗରେ ମାର୍ଗ ପ୍ରଶସ୍ତ ହେବ ବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି ।