ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପରିବେଶ ସୁରକ୍ଷା ତଥା ସଂରକ୍ଷଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ‘ପ୍ରକୃତି ବନ୍ଧୁ’ ପୁରସ୍କାର -୨୦୨୪ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ଶିଶୁ ସାହିତ୍ୟିକ, କବି ଆଇନଜୀବୀ ହୃଷୀକେଶ ପାଢ଼ୀଙ୍କୁ ପ୍ରଦାନ କରାଯାଇଛି । ତା ୧୧/୧୧/୨୦୨୪ ରିଖ ବାଲୁଖଣ୍ଡ ଅଭୟାରଣ୍ୟର ‘ପ୍ରକୃତି ନିବାସ’ରେ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ ପୁରୀ ବନପାଳ ବିବେକ କୁମାର (ଭାରତୀୟ ବନସେବା )ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ପାଢ଼ୀଙ୍କୁ “ପ୍ରକୃତି ବନ୍ଧୁ ପୁରସ୍କାର -୨୦୨୪”ରେ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନିତ ଅତିଥି ରୂପେ ଉତ୍ତମ କୁମାର ଗଡ଼ନାୟକ ସହକାରୀ ବନ ସଂରକ୍ଷକ, ପୁରୀ ଉପସ୍ଥିତ ଥିଲେ । ଗଛ ହିଁ ଜୀବନ, ଗଛ ଲଗାଅ ପରିବେଶ ବଞ୍ଚାଅ, ପରିବେଶ ପାଇଁ ଗଛଟିଏ, ଡେଲାଙ୍ଗର ‘କୁମୁକା’ ଜଙ୍ଗଲରୁ ସତ୍ୟବାଦୀର ବକୁଳବନ ସୁରକ୍ଷା ଅଭିଯାନ, ସ୍ୱଚ୍ଛତା ଓ ବୃକ୍ଷରୋପଣ, ଲୋକଙ୍କ ବାରିରେ ଗଛଲଗା ଅଭିଯାନ, ଔଷଧୀୟ ବୃକ୍ଷରୋପଣ ଅଭିଯାନ, ଗଛ ହସିଲେ ଜଗତ ହସେ ଅଭିଯାନ, କୁମୁକା ଜଙ୍ଗଲ ସୁରକ୍ଷା କର୍ମଶାଳା, ଭାରତୀୟ ସଂସ୍କୃତିରେ ବୃକ୍ଷ ପୂଜନ କର୍ମଶାଳା, ଗଛଟିଏ ପାଇଁ ଦିନଟିଏ କର୍ମଶାଳା, ବୃକ୍ଷଦାନ ମହାଦାନ ଅଭିଯାନ, ହବିଷ୍ୟାଳିଙ୍କୁ ଅଁଳାବୃକ୍ଷ ଦାନ ଅଭିଯାନ, ପରିବେଶ ସୁରକ୍ଷା ପଥପ୍ରାନ୍ତ ସଭା ଅଭିଯାନ, ଶିକ୍ଷାନୁଷ୍ଠାନ ଓ ସାରସ୍ୱତ ସଭା ମାନଙ୍କରେ କବିତା ପାଠ, ବକ୍ତୃତା ଓ ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସଚେତନତା ଅଭିଯାନ, ଜଳ ସଂରକ୍ଷଣ ଅଭିଯାନ, ଉତ୍ତମ ସ୍ୱାସ୍ଥ୍ୟ ହିଁ ପରିବେଶ ସୁରକ୍ଷାର ରକ୍ଷା କବଚ ଅଭିଯାନ, ବେଳାଭୂମି ସଫେଇ ଅଭିଯାନ, ମାକ୍ସ ବଣ୍ଟନ ଅଭିଯାନ, ହେନ୍ତାଳବନ ସୃଷ୍ଟି ପାଇଁ ସଚେତନତା ଅଭିଯାନ, ଡ଼ଲଫିନ ଓ ଅଲିଭ ରିଡଲେ କଇଁଛ ସୁରକ୍ଷା ଅଭିଯାନ, ପ୍ରାକୃତିକ ଜଙ୍ଗଲ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି ଅଭିଯାନ, ପକ୍ଷୀ ସୁରକ୍ଷା ଅଭିଯାନ, ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀର ସୁରକ୍ଷା ଅଭିଯାନ, ମଠ, ମନ୍ଦିର ଓ ରାସ୍ତାକଡରେ ବୃକ୍ଷଲଗା ଅଭିଯାନ, ସମ୍ବାଦପତ୍ର, ପତ୍ରପତ୍ରିକାରେ ପରିବେଶ ସୁରକ୍ଷା ଲେଖା, ଅକ୍ଷୟଶକ୍ତିର ଉତ୍ସକୁ ସଂରକ୍ଷଣ କରିବା ଅଭିଯାନ, ସି.ଇ.ଏସ୍. ତରଫରୁ ଆହୁତ ସମସ୍ତ ୱେବନରରେ ଭାଗ ଓ ପ୍ରମାଣ ପତ୍ର ଗ୍ରହଣ ଆଦି ଏତାଦୃଶ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରି ଶ୍ରୀଯୁକ୍ତ ପାଢ଼ୀ ଜନମାନସରେ ଲୋକପ୍ରିୟ ହେବା ସହ ବିଚାରକ ମଣ୍ଡଳୀଙ୍କ ଆସ୍ଥା ଭାଜନ ହୋଇଥିଲେ । ପରିବେଶ ସୁରକ୍ଷାଉପରେ ‘ଗଛ ହସିଲେ ଜଗତ ହସେ’ ନାମକ ଏକ ପୁସ୍ତକ ଶ୍ରଯୁକ୍ତ ପାଢ଼ୀଙ୍କର ପ୍ରକାଶ ପାଇଥିବା ବେଳେ ‘ଆମେ ହସାଇବା ଆମ ପରିବେଶ’ ପୁସ୍ତକ ପ୍ରକାଶ ପ୍ରତୀକ୍ଷାରେ ରହିଛି । ବାୟୁ ପ୍ରଦୂଷଣକୁ ରୋକିବା ତଥା ପରିବେଶକୁ ସୁରକ୍ଷା ଦେବା ପାଇଁ ନିଜେ ବ୍ୟବହାର କରୁଥିବା ବ୍ୟାଟେରୀ ଚଳିତ ସ୍କୁଟିରେ ଶ୍ରୀଯୁକ୍ତ ପାଢ଼ୀ ‘ମୋ ଡେଲାଙ୍ଗ -ସବୁଜ ଡେଲାଙ୍ଗ’, ‘ବୋଉ କହୁଥିଲା ଗଛ ତୁ ପୋତିବୁ’, ‘ଆମେ ହସାଇବା ଆମ ପରିବେଶ’ ଲେଖି ବ୍ୟାପକ ଜନସଚେତନତା କରିଆସୁଛନ୍ତି । ଏଠାରେ ସୂଚନାଯୋଗ୍ୟ ୨୦୨୨ ମସିହାରେ ରାଜ୍ୟ ସରକାର ଶ୍ରୀଯୁକ୍ତ ପାଢ଼ୀଙ୍କ ପ୍ରତିଷ୍ଠିତ ‘ସବୁଜ ଡେଲାଙ୍ଗ ଟ୍ରଷ୍ଟ’କୁ ‘ପ୍ରକୃତି ମିତ୍ର’ ସମ୍ମାନ -୨୦୨୨ରେ ଆଭୂଷିତ କରିଥିଲେ । ଶ୍ରୀଯୁକ୍ତ ପାଢୀଙ୍କୁ ‘ପ୍ରକୃତି ବନ୍ଧୁ ପୁରସ୍କାର -୨୦୨୪ ମିଳିବା ପରେ ବୁଦ୍ଧିଜୀବୀଙ୍କ ମହଲରେ ଆନନ୍ଦର ଛାୟା ଖେଳିଯାଇଛି ।
Prev Post