ଇସ୍ପାତ ସହରରେ ବିପର୍ଯ୍ୟସ୍ତ ରୋଗୀ ସେବା : ଅସନ୍ତୋଷ ପ୍ରକାଶ କଲେ ବିଧାୟକ ଦୁର୍ଗା ତନ୍ତୀ

  • ଡାକ୍ତରଙ୍କ ଅନୁପସ୍ଥିତିରେ ଫାର୍ମାସିଷ୍ଟ ଦେଖୁଛନ୍ତି ରୋଗୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଅତ୍ୟାଧୁନିକ ଜ୍ଞାନ କୌଶଳର ସଦୁପଯୋଗ କରି ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା ମାଁ’ ପ୍ରସ୍ତୁତ କରିଛନ୍ତି । ଏହି ସବୁ ଯୋଜନାର ସଫଳତା ପାଇଁ ହଜାର ହଜାର କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଥିବାବେଳେ ଏହି ଯୋଜନାର କ୍ରିୟାନ୍ୱୟନ ଦାୟୀତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ ମାନଙ୍କ ଦାୟିତ୍ୱହୀନତା ମନୋଭାବ ଯୋଗୁଁ ଆଜି ଡାକ୍ତରଖାନାକୁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଘଟଣା ସ୍ୱୟଂ ବିଧାୟକଙ୍କ ଦୃଷ୍ଟିକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ରଘୁନାଥପାଲ୍ଲୀ ବିଧାଶ୍ୟକ ଦୁର୍ଗା ଚରଣ ତନ୍ତୀ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇସ୍ପାତ ସହର ସେକ୍ଟର-୮ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ଗସ୍ତରେ ଯାଇଥିଲେ । ଡାକ୍ତରଖାନାରେ ପହଂଚିବାବେଳେ ସେଠି କୌଣସି ଡାକ୍ତର ନଥିବାବେଳେ କାର୍ଯ୍ୟରତ ଫାର୍ମାସିଷ୍ଟ ଜଣଙ୍କ ଡାକ୍ତର ଖାନାକୁ ଆସୁଥିବା ରୋଗୀଙ୍କ ଚିକିତ୍ସା କରୁଥିଲେ । ଡାକ୍ତରଙ୍କ ଅନୁପସ୍ଥିତି ସମ୍ବନ୍ଧରେ ପଚାରିବାରୁ ସେ ଛୁଟିରେ ଥିବା ଜାଣିବା ପରେ ବିଭାଗୀୟ ଅଧିକାରୀ ସିଡିଏମ୍ଓଙ୍କୁ ଫୋନ୍‌ କରିଥିଲେ ତେବେ ବିଧାୟକଙ୍କ ଫୋନ୍‌ ସେ ଉଠାଇ ନଥିଲେ । ପରେ ବିଧାୟକ ଶ୍ରୀ ତନ୍ତୀ ପାନପୋଷଠାରେ ଥିବା ଏସ୍‌ଡିଏମ୍‌ଓଙ୍କୁ ଫୋନ୍‌ କରି ଜଣାଇବାରୁ ଏପରି ଅବ୍ୟବସ୍ଥା ସମ୍ବନ୍ଧରେ ସେ ଜାଣିନଥିବା କହିବା ସହିତ ସନ୍ଧ୍ୟାରେ ଯାଇ ଦେଖିବି ବୋଲି ଉତ୍ତର ଦେଇଥିଲେ । କେବଳ ଏତିକିରେ ଏହି ଡାକ୍ତରଖାନାର ଦୁଃଖ ସରିନାହିଁ । ଏକଦା ଆର୍‌ଏସ୍‌ପିର ଏକ ଘରେ ଆରମ୍ଭ ହୋଇଥିବା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରତ୍ୟେକ ରୁମ୍‌ର ଛାତରୁ ପାଣି ମଧ୍ୟ ଗଳୁଥିବା ଦୃଷ୍ଟିକୁ ଆସିଥିଲା । ଏହିପରି ଅନେକ ଅବ୍ୟବସ୍ଥା ମଧ୍ୟରେ ଚାଲୁଛି ଷ୍ଟିଲ୍‌ ସିଟି ଇସ୍ପାତ ସହରାଞ୍ଚଳରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଶ୍ରୀ ଦୁର୍ଗାଙ୍କ ସହିତ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଅଜୟ କଂସାରୀ, ମଣ୍ଡଳ ସଭାପତି ସନ୍ତୋଷ ବିରାଟ, କୈଳାଶ ରାଉତ୍ ଓ ଟିକେଶ୍ୱରେ ତାଣ୍ଡି ଉପସ୍ଥିତ ଥିଲେ । ଡାକ୍ତରଖାନାର ଏପରି ଅବ୍ୟବସ୍ଥା ଓ ଜନତାଙ୍କ ସେବାରେ ତ୍ରୁଟି ଦେଖି ବିଧାୟକ ଶ୍ରୀ ତନ୍ତୀ ଅସନ୍ତୋଷ ପ୍ରକାଶ କରିଛନ୍ତି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.