
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସର୍ବସାଧାରଣ ଖେଳପଡ଼ିଆ ଠାରେ ଆୟୋଜିତ ୩୮ତମ ଧନୁଯାତ୍ରା ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ କଂସ ମହାରାଜଙ୍କ ରାଜଦରବାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ସମ୍ପାଦକ ଅଜୟ ଶର୍ମା ରାଜକୀୟ ଅତିଥି ଭାବେ ଉପସ୍ଥିତ ଥିଲେ । ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ ହସ୍ତୀ ପିଠିରେ ବସି କଂସ ମହାରାଜ ରାଜଦରବାରକୁ ପହଞ୍ଚିଥିଲେ । ରାଜକାର୍ଯ୍ୟ ଆରମ୍ଭ ପରେ କଂସ ମହାରାଜଙ୍କ ରାଜ ଦରବାରକୁ ରାଜକୀୟ ଅତିଥି ଭାବେ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ, ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଙ୍ଗୋମୁଣ୍ଡାର ଅଧ୍ୟକ୍ଷ ଗରୁଡ଼ଧ୍ଵଜ ବେହେରା, ବଳଧା ସରପଞ୍ଚ ପ୍ରତିନିଧି ସମାଜସେବୀ ସଦାନନ୍ଦ ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ବଙ୍ଗୋମୁଣ୍ଡାରେ ଏଭଳି ଏକ ବିରାଟ ଆୟୋଜନ ମାଧ୍ୟମରେ କଳା, ସଂସ୍କୃତିକୁ ଉଜ୍ଜୀବିତ କରିବାର ପ୍ରୟାସ ପାଇଁ ଉପଜିଲ୍ଲାପାଳ ପ୍ରଶଂସା କରିଥିଲେ । ଡ. ନାରାୟଣ ମିଶ୍ର ସଭାକୁ ସଂଯୋଜନା କରିଥିଲେ । ରଙ୍ଗମଞ୍ଚରେ କୃଷ୍ଣ ଜନ୍ମ, ବିଜୁଳି କନ୍ୟାର ଶୁନ୍ୟବାଣୀ, ପୁତନା ଆହ୍ଵାନ ଓ ପ୍ରେରଣ, ଅଷ୍ଟମଲ୍ଲ ଆହ୍ୱାନ ଓ ପ୍ରେରଣ ଆଦି ନାଟ୍ୟାଭିନୟ ଅଭିନୀତ ହୋଇଥିଲା । ପୌରାଣିକ କଥାବସ୍ତୁ ଆଧାରିତ ନାଟ୍ୟାଭିନୟ ଏବଂ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ଆକୃଷ୍ଟ କରୁଛି । ସଭାପତି ତୁଳସୀରାମ ହଂସ, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ସାଂସ୍କୃତିକ ସମ୍ପାଦକ ଘନଶ୍ୟାମ ମନହୀରା ପ୍ରମୁଖଙ୍କ ସହ କମିଟି କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ହଜାର ହଜାର ଦର୍ଶକ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।