ବରଗଡ, (ନିରୋଜ କୁମାର ପାଣୀ) : ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମମାଟି ବରପାଲି ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଚାଲି ଥିବା ରାଜ୍ୟ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀର ଦ୍ଵିତୀୟ ଦିବସରେ ରାଜ୍ୟର ୩୦ଟି ଜିଲ୍ଲାରୁ ଆସିଥିବା ୨୧୦ଟି ପ୍ରକଳ୍ପର ମୂଲ୍ୟାଙ୍କନ ଦକ୍ଷ ବିଚାରକଙ୍କ ଦ୍ଵାରା କରାଯିବା ସହ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଅନେକ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ଓ ଅନ୍ୟ ଶିକ୍ଷକଙ୍କ ସହ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଓ ସେଲଫି ପଏଣ୍ଟ ଏବଂ ମହାକାଶ ଯାନ ଉତକ୍ଷେପଣ ସ୍ଥାନରେ ଖୁବ୍ ଆନନ୍ଦରେ ଫଟୋ ଉଠାଇବା ପରିଲକ୍ଷିତ ହୋଇଥିଲା । ନିଷ୍ଠା ପରିବାର ବରଗଡ଼ ଆନୁକୂଲ୍ୟରେ ଚାଲିଥିବା ରକ୍ତଦାନ ଶିବିରରେ ସ୍ୱେଚ୍ଛାକୃତ ଭାବରେ ୫୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ପ୍ରଥମେ ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ପରେ ସୋହେଲା ବ୍ଲକ ଶିକ୍ଷାଅଧିକାରୀ ଶ୍ରୀମତୀ ଅମୃତା ସାହୁ ଓ ବିଜେପୁର ବ୍ଲକ ଶିକ୍ଷାଅଧିକାରୀ ନାରାୟଣ ଭୁଏ ରକ୍ତଦାନ କରିବା ସହ ରକ୍ତଦାନ କରିବା ପାଇଁ ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ଓରିଗେମି ପ୍ରତିଯୋଗିତା ସଞ୍ଜୀବ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁଶ୍ରୀ ପ୍ରୀତିରଶ୍ମି ସେଠ ଓ ସୁଶ୍ରୀ ମମତା ନାଗ ଓ ସୁଶ୍ରୀ ଜ୍ୟୋତ୍ସ୍ନାରାଣୀ ବରିହା ସହଯୋଗ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ଅନୁଷ୍ଠିତ ସେମିନାରରେ ଆମେରିକାରେ କାର୍ଯ୍ୟରତ ଡ. କାର୍ତ୍ତିକ ପ୍ରଧାନ, ନେଦରଲାଣ୍ଡରେ କାର୍ଯ୍ୟରତ ଡ. ଜିତେନ୍ଦ୍ର ବଢ଼ାଇ ଏବଂ ସ୍ଵିଡେନରେ କାର୍ଯ୍ୟରତ ଡ. କାଳୀଚରଣ ପାତ୍ର ତାଙ୍କର ସନ୍ଦର୍ଭ ଗୁଡ଼ିକୁ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ତନ୍ମୟା ଦେବତା ଓ ସଂଗ୍ରାମ କେଶରୀ ଦୀପ ସହଯୋଗ କରିଥିଲେ । କୁଇଜ କାର୍ଯ୍ୟକ୍ରମକୁ ମାନସ ରଞ୍ଜନ ଶତପଥୀ ସଂଯୋଜନା କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସୁଶ୍ରୀ ସୋନାଲିକା ଶବର ଓ ଗୋବିନ୍ଦ ସେଠ୍ । ଏହି ଅଧିବେଶନରେ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ ଯୋଗଦାନ କରିଥିଲେ । ଏହି ସମଗ୍ର କାର୍ଯ୍ୟକ୍ରମଟି ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି, ସହ ଜିଲ୍ଲା ଶିକ୍ଷାଅଧିକାରୀ ଜ୍ୟୋତିକାନ୍ତ ସାହୁ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଜିଲ୍ଲାର ସମସ୍ତ ୧୨ଟି ବ୍ଲକର ଶିକ୍ଷା ଅଧିକାରୀ ତଥା ବ୍ଲକର ସୁଦକ୍ଷ ବିଜ୍ଞାନ ଶିକ୍ଷକ, ପ୍ରଧାନଶିକ୍ଷକ ମାନେ କାର୍ଯ୍ୟକ୍ରମର ସଫଳତା ନିମନ୍ତେ ନିରବଚ୍ଛିନ୍ନ ପ୍ରୟାସରତ । ମଂଚ ପରିଚାଳନା କରିଥିଲେ ଭବାନୀ ଶଙ୍କର ଗଡ଼ତିଆ, ରାଜେଶ ଖମାରୀ ଓ ଦ୍ଵାଦଶ ପ୍ରଧାନ ।