ସ୍ପେସ ଅନ୍‌ ହୁଇଲ ପ୍ରଦର୍ଶନୀ ଉଦ୍‌ଯାପିତ

  • ୟୁ-ଟ୍ୟୁବ୍‌ ଲାଇଭ ମାଧ୍ୟମରେ ପ୍ରଦର୍ଶନୀ ଦେଖିଲେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ
  • ୩ ଦିନ ଧରି ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ଜନସାଧାରଣ ପରିଦର୍ଶନ କଲେ ପ୍ରଦର୍ଶନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ଅନ୍ତରୀକ୍ଷ ଉପଯୋଗ କେନ୍ଦ୍ର(ସ୍ପେସ୍‌ ଆପ୍ଲିକେସନ ସେଣ୍ଟର), ବିକ୍ରମ ସରାଭାଇ ମହାକାଶ ପ୍ରଦର୍ଶନୀ (ଭିଏସ୍‌ଏସ୍‌ଇ), ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୩, ଭୁବନେଶ୍ୱରଠାରେ ତିନି ଦିନ ଧରି ଅନୁଷ୍ଠିତ ସ୍ପେସ ଅନ୍‌ ହୁଇଲ ପ୍ରଦର୍ଶନୀ ଗତକାଲି ଉଦ୍‌ଯାପିତ ହୋଇଯାଇଛି ।

ଅନଷ୍ଠିତ ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାର ଏସ୍‌ଟି ଆଣ୍ଡ ଏସ୍‌ସି ବିଭାଗ ସ୍ୱତନ୍ତ୍ର ସଚିବ ବିଶ୍ୱରଞ୍ଜନ ସାସମଲ, ସମ୍ମାନିତ ଅତିଥି ଭାବେ ଭିଏସ୍‌ଏସ୍‌ଇ, ଏସ୍‌ଏସି ଇସ୍ରୋର ମୁଖ୍ୟ ଡ. ନରେଶ ଜେ. ଭଟ୍ଟ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ ଏବଂ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମହାକାଶ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଆହରଣ ସହ ସେମାନଙ୍କ ମନରେ ବୈଜ୍ଞାନିକ ମନୋଭାବ ବୃଦ୍ଧି କରିବା ପରିପ୍ରେକ୍ଷୀରେ ବକ୍ତବ୍ୟ ରଖିଥିଲେ । ଓଡିଶା ବିଜ୍ଞାନ ଓ କାରିଗରୀ ବିଭାଗର ବରିଷ୍ଠ ବୈଜ୍ଞାନିକ ଲକ୍ଷ୍ମୀ ନାରାୟଣ ପାଢୀ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଦର୍ଶନୀରେ ଯୋଗ ଦେଇଥିବା ଇସ୍ରୋ ମୁଖ୍ୟ ଡ. ଭଟ୍ଟଙ୍କ ସମେତ ତାଙ୍କ ଦଳର ୧୦ ଜଣ ବୈଜ୍ଞନିକ ଓ ବୈଷୟିକ ସହାୟକମାନଙ୍କୁ ଉତ୍ତରୀୟ, ସ୍ମାରକୀ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । କ୍ୟାପିଟାଲ ହାଇସ୍କୁଲ-ୟୂନିଟ-୩ର ଛାତ୍ରମାନଙ୍କ ତରଫରୁ ନିଜସ୍ୱ ନିର୍ମିତ ଏକ ରକେଟର ମଡେଲ ଡ. ଭଟ୍ଟଙ୍କୁ ପ୍ରଦାନ କରାଯାଇଥିଲା । ଦୀର୍ଘ ୩ ଦିନ ଧରି ଏହି ପ୍ରଦର୍ଶନୀରେ ସ୍ଥାନିତ ପ୍ରକଳ୍ପଗୁଡିକୁ ପ୍ରାୟ ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀ, ସାଧାରଣ ନାଗରିକ ପରିଦର୍ଶନ କରିଥିଲେ ଏବଂ ମହାକାଶ ବିଜ୍ଞାନ ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ । ସବୁଠାରୁ ମୁଖ୍ୟ କଥା ହେଲା ସୋମବାର ଦିନ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ରାଜ୍ୟର ୩୯୦୬ଟି ‘୫-ଟି’ ରୂପାନ୍ତରିତ ବିଦ୍ୟାଳୟ ସମେତ ପ୍ରାୟ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୟୁ-ଟ୍ୟୁବ ଲାଇଭ ମାଧ୍ୟମରେ ପ୍ରଦର୍ଶନୀ ସିଧାପ୍ରସାରଣ ଦେଖିବାର ସୁଯୋଗ ପାଇଥିଲେ । ପରିଶେଷରେ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୩ର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.