jayashree

ଅଧ୍ୟାପକ ଡକ୍ଟର ସୁରେଶ ଷଡ଼ଙ୍ଗୀଙ୍କୁ ରାଜନୀତି ବିଜ୍ଞାନରେ ଡିଲିଟ୍‌ ଉପାଧି ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍) : ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୩ତମ ସମାବର୍ତ୍ତନ ଉତ୍ସବରେ ବିଶିଷ୍ଟ ଯୁବ ଗବେଷକ ଅଧ୍ୟାପକ ଡକ୍ଟର ସୁରେଶ ଷଡ଼ଙ୍ଗୀଙ୍କୁ ଶିକ୍ଷା ଜଗତର ସର୍ବୋଚ୍ଚ ମର୍ଯ୍ୟାଦାଜନକ ଡିଲିଟ୍‌ ଡିଗ୍ରୀ ରାଜ୍ୟପାଳ ରଘୁବୀର ଦାଶ ପ୍ରଦାନ କରିଛନ୍ତି । ସେ କେବିକେ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ପଞ୍ଚାୟତିରାଜରେ ରାଜନୈତିକ ଯୋଗଦାନ ବିଷୟରେ ଦୀର୍ଘବର୍ଷ ଧରି ଗବେଷଣା କରୁଥିଲେ । ଡକ୍ଟର ଷଡ଼ଙ୍ଗୀ ସଂପ୍ରତି ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ କାର୍ଯ୍ୟରତ। ଜଣେ ଯୁବ ଗବେଷକ ଭାବରେ ଶ୍ରୀ ଷଡଙ୍ଗୀ ଏହା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍‌‌ଡି ଡିଗ୍ରୀ ଲାଭ ସହିତ ୟୁଜିସି ଜୁନିଅର୍‌ ରିସର୍ଚ୍ଚ ପ୍ରୋଜେକ୍ଟ ଓ ମେଜର୍‌ ରିସର୍ଚ୍ଚ ପ୍ରୋଜେକ୍ଟରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ପୁନଶ୍ଚ ତାଙ୍କର ୪୦ରୁ ଅଧିକ ଗବେଷଣାତ୍ମକ ଆଲେଖ୍ୟ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଜର୍‌ନାଲ୍‌ରେ ପ୍ରକାଶିତ ହୋଇସାରିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଶ୍ରୀ ଷଡଙ୍ଗୀ ତାଙ୍କ ଗବେଷଣାତ୍ମକ କାର୍ଯ୍ୟକୁ ଆଗକୁ ନେବା ସହିତ ଗବେଷଣାତ୍ମକ ପୁସ୍ତକ ରଚନା କରି ୬୫ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତୀୟ ସେମିନାରରେ ନିଜ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନା କରିବା ସହିତ ବିଭିନ୍ନ ସଂଗୋଷ୍ଠୀରେ ବକ୍ତବ୍ୟ ପ୍ରଦାନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଡକ୍ଟର ଷଡ଼ଙ୍ଗୀଙ୍କ ଏହି ଉଲ୍ଲେଖନୀୟ ଡିଲିଟ୍ ଉପାଧି ପ୍ରାପ୍ତ ହୋଇଥିବାରୁ ଅଞ୍ଚଳର ଶିକ୍ଷାପ୍ରେମୀ ତଥା ରାଜନୀତି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.