କୋଇଡା ୧୫୩ ଜଣ ଲକ୍ଷପତି ଦିଦିଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ

କୋଇଡା, (ସମ୍ବିତ ଜେନା) : ମହିଳାଙ୍କ ସଶକ୍ତିକରଣ ଦିଗରେ ବଡ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ମହାରାଷ୍ଟ୍ରର ଜଲଗାଁଓ ଠାରେ ଆୟୋଜିତ ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗଦେଇ ଏଗାରଲକ୍ଷ ଲକ୍ଷପତି ଦିଦିଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିବା ସହିତ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ ଲକ୍ଷପତି ଦିଦି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକର ୩୦ ଗୋଟି ଏସ୍‌ଏଚ୍‌ଜି ଗ୍ରୁପ୍‌ର ମୋଟ୍‌ ୧୫୩ ଜଣଙ୍କୁ ସମ୍ମାନିତ କରାଯାଇଛି । ଏହା ସହିତ ବ୍ଲକର ୧୭ ଜଣ ସିଆର୍‌ପି କ୍ୟାଡରଙ୍କୁ ପୁଷ୍ପଗୁଚ୍ଛ ଏବଂ ସାର୍ଟିଫିକେଟ ଦେଇ ସମ୍ବର୍ଦ୍ଧିତ କରାଯାଇଛି । କୋଇଡା ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କୋଇଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ପାତ୍ର ଓ ଶିଶୁ ମଙ୍ଗଳ ପ୍ରକଳ୍ପ ଅଧିକାରୀ ଅନିତା ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ଲକ୍ଷପତି ଦିଦିଙ୍କୁ ପୁଷ୍ପଗୁଚ୍ଛ ଏବଂ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ । ବ୍ଲକର ବିଭିନ୍ନ ପଂଚାୟତରୁ ଆସିଥିବା ଶତାଧିକ ମହିଳା ସର୍ବସମ୍ମୁଖରେ ନିଜର ଅଭିଜ୍ଞତା ପରିପ୍ରକାଶ କରିଥିଲେ । ଏହି ଲକ୍ଷପତି ଦିଦି ଅନ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବେ ବୋଲି କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.