
ବରଗଡ, (ନିରୋଜ କୁମାର ପାଣୀ) : ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ବିକାଶ ନିମନ୍ତେ ସର୍ବଦା ଚେଷ୍ଟିତ ସଂଘ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର୍ ଫେଡ଼େରସନ୍ ଫର ଦିବ୍ୟାଙ୍ଗ (ଓଏସ୍ଇଏଫଡ଼ି) ସଂଘ ବରଗଡ଼ ଜିଲ୍ଲା ଶାଖାର ଜିଲ୍ଲା ସଭାପତି ଅନ୍ତର୍ଯ୍ୟାମୀ ସାହୁ, କୋଷାଧ୍ୟକ୍ଷ ଉଦ୍ଧବ ସାହୁ, ସଂଜୀବ ରଣାଙ୍କ ସମେତ ସଂଘର ପନ୍ଦର ଜଣ ସଦସ୍ୟ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ ଗଡ଼ତିଆଙ୍କୁ ସାକ୍ଷାତ କରି ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ପାଇଁ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଦୀର୍ଘ ଦିନରୁ ଓଏସ୍ଇଏଫଡି ସଂଘ ସହ ଜଡ଼ିତ ଥିଲେ, ଆଗରୁ ବିଧାୟକ ଭାବେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଅନେକ ଚିଠି ଲେଖିଥିଲେ, ବିରୋଧୀ ଦଳ ଭାବେ ବାରମ୍ବାର ଓଡିଶା ବିଧାନସଭାରେ ପ୍ରଶ୍ନ ଉଠାଇବା ସହ ରାଜ ରାସ୍ତାରେ ଦିବ୍ୟାଙ୍ଗଙ୍କ ଶିକ୍ଷା ଓ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଚାଲିଥିବା ଧାରଣାରେ ଯୋଗଦେଇ ପ୍ରତିଶ୍ରୁତି ଦେଇଥିଲେ ଯେ, ଦାବି ପୂରଣ ପର୍ଯ୍ୟନ୍ତ ସଂଘ ସହ ଜଡିତ ରହିବେ । ଆଜି ଏହି ଦାବିକୁ ସ୍ୱାସ୍ଥ୍ୟ ମନ୍ତ୍ରୀ, ବରଗଡ଼ ସାଂସଦ ଓ ବିଜେପୁର ବିଧାୟକ ଅତି ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ । ଏହି ନିଯୁକ୍ତି ପାଇଁ ପି. ଡବ୍ଲୁ. ଡ଼ି ଆକ୍ଟ ୧୯୯୫, ଆର୍. ପି. ଡବ୍ଲୁ. ଡ଼ି ଆକ୍ଟ ୨୦୧୬ ଏବଂ ଆର୍. ଟି. ଇ ଆକ୍ଟ ୨୦୦୯ ରହିଛି ତତସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ୨୦୨୧ ମସିହା ଅକ୍ଟୋବର ୨୮ ତାରିଖ ଡବ୍ଲୁ. ପି (ସି ) ୧୩୨ ଅଫ୍ ୨୦୧୬ ରହିଛି । ଓଡ଼ିଶାରେ ୬୪୦୦୦ରୁ ଅଧିକ ସାଧାରଣ ବିଦ୍ୟାଳୟ ଅଛି ଏବଂ ପ୍ରାୟ ୧ ଲକ୍ଷ ୫୦ ହଜାର ବିଶେଷ ଅବଶ୍ୟକ ରଖୁଥିବା ପିଲା ଏହି ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇଛନ୍ତି କିନ୍ତୁ ସେମାନଙ୍କୁ ପଢ଼ାଇବା ପାଇଁ ତାଲିମପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକଙ୍କ ଆବଶ୍ୟକତା ରହିଛି ଯାହାର କି ସମ୍ପୂର୍ଣ୍ଣ ଅଭାବ ରହିଛି ଏବଂ ଆଜି ଯାଏଁ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଯାଇନାହିଁ । ଏହି ନିଯୁକ୍ତି ମିଳିଲେ ୭୦୦୦ ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପକୃତ ହେବା ସହ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି ।