ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜିଲ୍ଲାମାନଙ୍କୁ ପ୍ରଦାନ କରାଯିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜିଲ୍ଲାମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ । ଗତକାଲି ୩ୟ ପର୍ଯ୍ୟାୟରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଶେଷ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସ୍କୁଲ ରୂପାନ୍ତରଣରେ ଭଲ କାମ କରିଥିବା ଜିଲ୍ଲାମାନଙ୍କ ପାଇଁ ପ୍ରଥମ ପୁରସ୍କାର ୩ କୋଟି ଟଙ୍କା, ଦ୍ୱିତୀୟ ପୁରସ୍କାର ୨ କୋଟି ଟଙ୍କା ଓ ତୃତୀୟ ପୁରସ୍କାର ଭାବେ ୧ କୋଟି ଟଙ୍କା ଦିଆଯିବ ।

ସେହିପରି ଏ କ୍ଷେତ୍ରରେ ଭଲକାମ କରିଥିବା ବ୍ଲକମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦଶଟି ବ୍ଲକକୁ ପଚାଶ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଭାବରେ ଦିଆଯିବ । ଏହି ପୁରସ୍କାରର ବିସ୍ତୃତ ବିବରଣୀ ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କହିଥିଲେ ଯେ ରାଜ୍ୟରେ ଶିକ୍ଷା ଉପରେ ଯେତେ ଅଧିକ ପ୍ରତିଯୋଗିତା ହେବ, ଶିକ୍ଷାର ଗୁଣାତ୍ମକମାନ ସେତେ ବୃଦ୍ଧି ପାଇବ ।

ଶ୍ରୀ ପାଣ୍ଡିଆନ କହିଥିଲେ “Let’s celebrate education-ଚାଲନ୍ତୁ ଶିକ୍ଷାକୁ ଆମେ ଏକ ମହୋତ୍ସବ ଭାବେ ପାଳିବା ।” ପ୍ରତିଯୋଗିତା ମନୋଭାବ ନେଇ ଶିକ୍ଷାର ଉତ୍କର୍ଷ ଲାଭ କରିବା । କେବଳ ଜିଲ୍ଲା କିମ୍ବା ବ୍ଲକ ନୁହଁ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ, ପଞ୍ଚାୟତ ପ୍ରତିନିଧି ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କରିଥିଲେ ।

ଗତକାଲି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ କଟକ ଜିଲ୍ଲାର ୯୮ଟି ହାଇସ୍କୁଲ, କଳାହାଣ୍ଡି ଜିଲ୍ଲାର ୧୧୫ଟି, ମାଲକାନଗିରି ଜିଲ୍ଲାର ୪୯ଟି ଏବଂ ଯାଜପୁର ଜିଲ୍ଲାର ୭୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ । ଏହାଦ୍ୱାରା ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା । ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!