
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା କଳାକାର ସମନ୍ୱୟ ସମିତି, ବଲାଙ୍ଗିର ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ରାଜ୍ୟ ସରକାର ଆରମ୍ଭ କରିଥିବା ୨୦୧୮ରେ ମୁଖ୍ୟମନ୍ତ୍ରୀ କଳାକାର ସହାୟକ ଯୋଜନାରେ ସର୍ବମୋଟ ରାଜ୍ୟର ୫୦ ହଜାର କଳାକାରଙ୍କୁ ଯୋଜନାର ନିୟମ ଅନୁସାରେ ବିଧିବଦ୍ଧ ଭାବେ ଭତ୍ତା ଦେବାର ଘୋଷଣା ଜାରି କରିଥିଲେ, ସେହି ଦୃଷ୍ଟିରୁ ଆମ ବଲାଙ୍ଗିର ଜିଲ୍ଲାର ସର୍ବମୋଟ ୧୮୦୮ ଜଣ ଯୋଗ୍ୟ କଳାକାରଙ୍କ ଭାଗ ପଡିଥିଲା । ଯାହାକି ପ୍ରଥମେ ୬୬୨ ଜଣ କଳାକାର ଚୟନ ପ୍ରକ୍ରିୟାରେ ପାଇଥିଲେ ଏବଂ ବକେୟା ୧୧୪୬ ଜଣ ଏହି କିଛି ଦିନ ଭିତରେ ଚୟନ କରି ଘୋଷଣା କରାଯାଇଛି ଏବଂ ବାଦ ପଡିଛନ୍ତି ହଜାର ହଜାର ଯୋଗ୍ୟ ହିତାଧିକାରୀ କଳାକାରଗଣ । ଏହି ୧୮୦୮ ଜଣ ମନୋନୀତ କଳାକାର ମଧ୍ୟରୁ ଅନେକ ନକଲି କଳାକାରଙ୍କୁ ମଧ୍ୟ ସାମିଲ କରାଯାଇଛି ଏବଂ ସେମାନେ ପ୍ରତ୍ୟେକ ମାସ ୧୨୦୦ ଟଙ୍କା ହାତେଇ ନେବା ଚକ୍ରାନ୍ତ ଚଳାଇଛନ୍ତି । ଦାବୀଗୁଡିକ ମଧ୍ୟରେ ବଲାଙ୍ଗିର ଜିଲ୍ଲାରେ ହଜାର ହଜାର ଯୋଗ୍ୟ କଳାକାର ଦାରିଦ୍ର୍ୟ ନିଷ୍ପେସିତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି । ତେଣୁ ଯୋଜନାର ସଂଖ୍ୟା ସୀମିତ ନ ରଖି ସମସ୍ତ ହିତାଧିକାରୀ କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟକ ଯୋଜନାରେ ସାମିଲ କରାଯାଉ । ଜିଲ୍ଲାର ୧୮୦୮ ଜଣ କଳାକାର ସହାୟକ ଯୋଜନାରେ ସାମିଲ ହୋଇଥିବା ମଧ୍ୟରୁ ଅନେକ ନକଲି କଳାକାର ଥିବା ଅଭିଯୋଗ ହେଉଛି । ଏପରିକି ବ୍ଲକ ସ୍ତରରରେ ବିକେକେଏସ୍ରେ ପଞ୍ଜିକରଣ ନ କରି ନକଲି ସାର୍ଟିଫିକେଟ୍ ପ୍ରଦର୍ଶନ କରି ସହାୟତା ରାଶି ହଡପ କରିବାକୁ ଚେଷ୍ଟା କରିଛନ୍ତି । ତେଣୁ ପୁଣିଥରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ କାଗଜାତ ପତ୍ର ଯାଂଚ କରି ନକଲି କଳାକାର ହଟାଇବା ସହ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ବିଗତ ଦିନରେ କାଗଜାତପତ୍ର ଯାଂଚ ପ୍ରକ୍ରିୟା ଚାଲୁ ରହିଥିଲା କିନ୍ତୁ ଅନେକ ହିତାଧିକାରୀମାନଙ୍କୁ କୌଣସି ସୂଚନା ପ୍ରଦାନ ନ କରିଥିବାରୁ ସେମାନେ ଉକ୍ତ ପ୍ରକ୍ରିୟାରେ ସାମିଲ ହୋଇ ପାରିନାହାନ୍ତି । ତେଣୁ ପୁଣିଥରେ କାଗଜାତପତ୍ର ଯାଂଚ ପ୍ରକ୍ରିୟା ପାଇଁ ତାରିଖ ନିର୍ଦ୍ଧାରଣ କରି ସେମାନଙ୍କୁ ସୂଚନା ପ୍ରଦାନ କରାଯାଉ । ଯେଉଁମାନେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ ହୋଇଛନ୍ତି ସେମାନଙ୍କୁ ମାସିକ ୧୨୦୦ ଟଙ୍କା ପ୍ରଦାନ କରାଯାଉଛି । ଯାହାକି ସେମାନଙ୍କ ପରିବାରର ଭରଣ ପୋଷଣ ପାଇଁ ନିଅଣ୍ଟ ଅଟେ । ତେଣୁ ସହାୟତା ରାଶିକୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯିବା ପ୍ରସଙ୍ଗ ରହିଅଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ପରମାନନ୍ଦ ମାଝି ସଭାପତି ଜିଲ୍ଲା କଳାକାର ସମନ୍ୱୟ ସମିତି, ସତ୍ୟ ବନଛୋର ସମ୍ପାଦକ ଜିଲ୍ଲା କଳାକାର ସମନ୍ୱୟ ସମିତି, ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ, କାଳିନ୍ଦ୍ରୀ ମାଝି, ପଞ୍ଚାନନ ଦାସ, ପ୍ରମୋଦ ନାଏକ, ଅଖିଳ ପଧାନ, ମଧୁ ମାଝି, ସୁବାଷ ପଧାନ ତଥା ଜିଲ୍ଲା କଳାକାର ସମନ୍ୱୟ ସମିତିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।