ରାଉରକେଲା, (ସସ୍ମିତା ପ୍ରଧାନ) : ନବୀନ ଓଡ଼ିଶା ଅଧ୍ୟକ୍ଷ ତଥା ବିଜେଡିର ଷ୍ଟାର୍ ପ୍ରଚାରକ ଭି. କେ. ପାଣ୍ଡିଆନ୍ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ସେକ୍ଟର -୨ ଦୁର୍ଗାପୂଜା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ନିଜ ଅଭିଭାଷଣରେ ନବୀନ ବାବୁଙ୍କ ରଘୁନାଥପାଲିକୁ ଭଲ ପାଇବା ଉଲ୍ଲେଖ କରି ଗତଥର ଆସିଥିବା ବେଳେ ଯେଉଁ ସବୁ କାର୍ଯ୍ୟର ଚିଠା ନେଇଥିଲେ ତାହାର ହିସାବ ଉପସ୍ଥାପନା କରିଥିଲେ । ଚଳିତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ରଘୁନାଥପାଲି ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନାରେଖା ବେହେରାଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ବିଜୟୀ କରିବାକୁ ଉପସ୍ଥିତ ବିଶାଳ ଜନସମାବେଶକୁ ଅନୁରୋଧ କରିଥିଲେ । ସେ ଦୃଢ଼ତାର ସହ କହିଥିଲେ ଆସନ୍ତା ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ବିରୋଧୀଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ଯଦି ଏହା ନହୁଏ ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ । ଏହି ଚାଲେଞ୍ଜକୁ ଯଦି ବିରୋଧିଙ୍କ ସତସାହାସ ଅଛି ତେବେ ଆସନ୍ତୁ । ସେ କହିଥିଲେ ଏବେ ବହୁ ଟ୍ୟୁରିଷ୍ଟ ବା ଆଗନ୍ତୁକ ଆସିବେ ବଡ ବଡ କଥା କହିବେ ତାସହିତ ନବୀନ ବାବୁଙ୍କୁ ଗାଳି ଦେବେ ମାତ୍ର ଦରକାର ବେଳେ କାହାର ଦେଖା ନଥିବ । ତେଣୁ ଆପଣମାନେ ଏ ମାନଙ୍କୁ ଚିହ୍ନନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସାଢେ଼ ଚାରି କୋଟି ଜନତାଙ୍କୁ ନିଜର ପରିବାରର ସଦସ୍ୟ ଭାବରେ ନିଜର ସେବା ଦେବା ସହ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଓ ତାସହ ବିଏସ୍କେୱାଇ କାର୍ଡ୍ ସମସ୍ତ ପରିବାରଙ୍କୁ ରୋଗ ବ୍ୟାଧିରୁ ଭଲ ହେବା ପାଇଁ ନୂତନ ଆଶା ସଞ୍ଚାର କରିଛି । ଏଥର ନିର୍ବାଚନ ଇସ୍ତାହାରରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଦେୟ ଛାଡ ସହ ଯୁବବର୍ଗଙ୍କ ପାଇଁ ୧୦ବର୍ଷକୁ ଏକଲକ୍ଷ କୋଟିର ପ୍ୟାକେଜ ଓଡ଼ିଶାକୁ ବିକାଶର ନୂତନ ସୋପାନରେ ପହଞ୍ଚାଇବ । ତେଣୁ ଆସନ୍ତା ୨୦ ତାରିଖ ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିଜୟୀ କରିବାକୁ ସେ ଆହ୍ୱାନ କରିଥିଲେ । ଏହି ଅବସରରେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ରଘୁନାଥପାଲୀ ବିଧାୟକ ପ୍ରାର୍ଥିନୀ ଅର୍ଚ୍ଚନାରେଖା ବେହେରା ନିଜ ନିଜର ଅଭିଭାଷଣରେ ଏ ଅଞ୍ଚଳର ବିକାଶ ଉପରେ ନିଜର ମତାମତ ରଖି ଆସନ୍ତା ନିର୍ବାଚନରେ ଭୋଟ ଦେବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ହଜାର ହଜାର ସଂଖ୍ୟାରେ କର୍ମୀ ଶୁଭେଚ୍ଛୁ ଓ ସମର୍ଥକଙ୍କ ସମାବେଶ ହୋଇଥିଲା । ସେହିପରି ପୂର୍ବାହ୍ନରେ କୋଏଲ୍ ନଗର ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶ୍ରୀ ପାଣ୍ଡିଆନ ଅବସରପ୍ରାପ୍ତ ଆରଏସ୍ପି କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଉଦ୍ବୋଧନ ଦେଇ ରାଉରକେଲା ବିଧାନସଭା ପ୍ରାର୍ଥୀ ସାରଦା ପ୍ରସାଦ ନାୟକଙ୍କୁ ଶଙ୍ଖ ଚିହ୍ନରେ ମୋହର ମାରି ବିଜୟୀ କରିବାକୁ ଅନୁରୋଧ କରିଥିଲେ ।