- ମିଲନୀ, ରଜନୀ ଏବଂ ପ୍ରଦୀପଙ୍କ ପାଇଁ ୱାର୍ଡ ନଂ ୩ ଓ ୧୧ରେ କଲେ ପ୍ରଚାର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୌର ପରିଷଦ ନିର୍ବାଚନ ପରିପ୍ରେକ୍ଷୀରେ ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ୩ ପାଇଁ ପ୍ରାର୍ଥିନୀ ରଜନୀ ବନଛୋର ଓ ୱାର୍ଡ ନଂ୧୧ର ପ୍ରାର୍ଥୀ ପ୍ରଦୀପ କୁମାର ମିଶ୍ରଙ୍କ ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତାଙ୍କର ପ୍ରଚାର ଶୈଳୀକୁ ଆହୁରୀ ଜୋରଦାର କରିଛନ୍ତି । ୱାର୍ଡ ନଂ ୩ର ତାଲପାଲିପଡା, ଡୁଙ୍ଗୁରିପଡା, କନ୍ଧପାଲିପଡା ଓ ୱାର୍ଡ ନଂ ୧୧ର ଜଗନ୍ନାଥପଡାଠାରେ ଉଭୟ କାଉନସିଲର ପ୍ରାର୍ଥୀ ଏବଂ ପୌରାଧ୍ୟକ୍ଷା ପ୍ରାର୍ଥିନୀ ମିଲନୀ ସାହୁଙ୍କ ପାଇଁ ପଥପ୍ରାନ୍ତ ସଭା ତଥା ଘରଘର ବୁଲି ଲୋକଙ୍କୁ ସଚେତନତା କରିବା ସମୟରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ଏକ ଦୁର୍ନୀତିମୁକ୍ତ ପୌର ପରିଷଦ ଗଠନ ପାଇଁ ଆପଣମାନଙ୍କ ସମ୍ମୁଖରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ । କାରଣ ଅତୀତରେ ଆପଣମାନେ ଦେଖିଛନ୍ତି ବାରମ୍ବାର ଭୋଟ ପାଉଥିବା ସତ୍ତେ ମଧ୍ୟ ଏଠାରେ ପୌର ପରିଷଦ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ନେତାମାନେ ପ୍ରିୟା ପ୍ରୀତିତୋଷଣ, ଦୁର୍ନୀତ ଓ କଳାବଜାରୀ କରି ଜନସାଧାରଣଙ୍କର ବହୁତ କ୍ଷତି ଘଟାଇଛନ୍ତି । ଆପଣମାନେ ନିଶ୍ଚିତ ଭାବେ ଜାଣିଛନ୍ତି ଛୋଟଛୋଟ କାମ ପାଇଁ କୌଣସି ଯୋଜନାରେ ଭତ୍ତା ହେଉ , ରାସନ ହେଉ ହାତଗୁଂଜା ନଦେଲେ ପୌର ପରିଷଦର କୌଣସି ଅଧିକାରୀ ଲୋକଙ୍କ କାମ କରୁନଥିଲେ । ଯଦି ଆପଣମାନେ ଚାହୁଁଛନ୍ତି ଏକ ଦୁର୍ନୀତିମୁକ୍ତ, ପ୍ରିୟାପ୍ରୀତିତୋଷଣ ବିହୀନ ପୌର ପରିଷଦ ଗଠନ ହେଉ, ଯଦି ଆପଣମାନେ ଚାହୁଁଛନ୍ତି ବଲାଙ୍ଗିରରେ ଥିବା ରାସ୍ତା, ଘାଟ, ନାଳ ନର୍ଦ୍ଧମା ତଥା ବର୍ଜବସ୍ତୁର ଠିକ ଭାବେ ପରିଚାଳନା ହେଉ, ଏଠାରେ ଥିବା ପୋଖରୀମାନଙ୍କର ପାଣି ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ହେଉ ତେବେ ଆପଣମାନେ ନିଶ୍ଚିତ ଭାବେ ଏହି ନିର୍ବାଚନରେ ନିଜର ବହୁମୂଲ୍ୟ ମତଦାନ କଂଗ୍ରେସ ସପକ୍ଷରେ ଦେବେ । କାରଣ ବଲାଙ୍ଗିରରେ ବିଜୁ ଜନତା ଦଳର ବିଗତ ଦିନମାନଙ୍କରେ ବିଧାୟକ ଥିଲେ, ମନ୍ତ୍ରୀ ଥିଲେ, ସାଂସଦ ଥିଲେ । କିନ୍ତୁ ଦୁଃଖର ବିଷୟ ଗୋଟାଏ ବି ଜନ ହିତକର ପ୍ରକଳ୍ପ ଏହି ସହର ମଧ୍ୟରେ କରି ନାହାନ୍ତି । ତେଣୁ ମୁଁ ଆପଣମାନଙ୍କୁ ପୁଣି ଅନୁରୋଧ କରିବି, ଏଭଳି ଦୂରଦୃଷ୍ଟିହୀନ ନେତା ତଥା ତାଙ୍କ ଅନୁଗାମୀମାନଙ୍କୁ ଭୋଟଦାନ ମାଧ୍ୟମରେ ପୁନଶ୍ଚ ନିର୍ବାଚିତ କରନ୍ତୁ ନାହିଁ । ସଚେତନ ହୁଅନ୍ତୁ ଏବଂ ଆପଣଙ୍କ ଅଂଚଳର ବିକାଶ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ, ପ୍ରାର୍ଥିନୀମାନଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବଲାଙ୍ଗିର ବିକାଶରେ ଭାଗୀଦାରୀ ହୁଅନ୍ତୁ । ଲୋକଙ୍କୁ ବିରୋଧୀଙ୍କ ୨୫ ବର୍ଷ ବନାମ ନିଜର ୭ ବର୍ଷର କାର୍ଯକାଳକୁ ତୁଳନା କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଶ୍ରୀ ମିଶ୍ର ନିବେଦନ କରିଥିଲେ । ଲୋକେ ବିଜେଡିକୁ ୧୫ ବର୍ଷ ପରଖିଲେ, କଂଗ୍ରେସକୁ ଥରେ ଭୋଟ ଦେଇ ପରୀକ୍ଷା କରନ୍ତୁ ବୋଲି ନିଜ ବକ୍ତବ୍ୟରେ ଲୋକଙ୍କୁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ପୌରାଧ୍ୟକ୍ଷା ପ୍ରାର୍ଥିନୀ ମିଲନୀ ସାହୁ ମଧ୍ୟ ନିଜ ବକ୍ତବ୍ୟରେ କଂଗ୍ରେସର ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ । ଆଜି ଅନୁଷ୍ଠିତ ସଭାମାନଙ୍କରେ ନଗର ସଭାପତି ବୁଲୁ ଦାନୀ, ଉପ ସଭାପତି ମନୀଷ ମିଶ୍ର, କିଷାନ ସେଲ ସଭାପତି ସାନନ୍ଦ ମିଶ୍ର, ସଂଜୟ ମିଶ୍ର, ପବିତ୍ର ବେହେରା, ଲୋପନ ମିଶ୍ର, ନାସିର ଖାନ, ରୋସନ ମିଶ୍ର ଓ ଟିଟୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।