om academy

ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ପ୍ରବେଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ (ବି.ଇଡି) ଠାରେ ଏହି ବର୍ଷ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରବେଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳିତ ମାସ ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ କୁମାର ନାଏକଙ୍କ ସଭାପତିତ୍ୱରେ ଚାରିଦିନ ଧରି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉଦ୍ଦେଶ୍ୟରେ ସମର୍ପିତ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ବି.ଇଡି ପାଠ୍ୟକ୍ରମ ସମ୍ପର୍କରେ ଜ୍ଞାନ ଆହରଣ, ଦକ୍ଷ ଶିକ୍ଷକ ହେବାର କୌଶଳ, ମହାବିଦ୍ୟାଳୟର ଖ୍ୟାତିସମ୍ପନ୍ନ ପୁରାତନ ଛାତ୍ରଛାତ୍ରୀଙ୍କ ଉଦ୍‌ବୋଧନ, ନୂତନ ଶିକ୍ଷାନୀତି ୨୦୨୦, ଶିକ୍ଷାରେ ଟେକ୍ନୋଲୋଜିର ବ୍ୟବହାର, ଯୋଗାଯୋଗ ଦକ୍ଷତାର ଅଭିବୃଦ୍ଧି, ମହାବିଦ୍ୟାଳୟର ନୀତି ଓ ଶୃଙ୍ଖଳା ସମ୍ପର୍କରେ ଧାରଣା, ବଞ୍ଚିବାର କଳା ଆଦି ଅନେକ ବିଷୟରେ ଆଲୋଚିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଏହି ମହାବିଦ୍ୟାଳୟର ପ୍ରଥମ ବ୍ୟାଚ୍‌ର ପୁରାତନ ଛାତ୍ର ଭାବରେ ସେବା ନିବୃତ୍ତ ବିଜ୍ଞାନ ଶିକ୍ଷକ ସନାତନ ଠାକୁର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିକ୍ଷାର ମହତ୍ତ୍ଵ ଏବଂ ଶିକ୍ଷକଙ୍କ ଗୁଣ ଓ ଦକ୍ଷତା କିପରି ହେବା ଉଚିତ୍ ସେ ସମ୍ପର୍କରେ ଅବଗତ କରାଇଥିଲେ । ଦ୍ଵିତୀୟ ଦିବସରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଚିହ୍ନିବା କାର୍ଯ୍ୟକ୍ରମ ଅବସରରେ ଖ୍ୟାତିସମ୍ପନ୍ନ ପୁରାତନ ଛାତ୍ରଛାତ୍ରୀଙ୍କୁ ଭିଡିଓ ମାଧ୍ୟମରେ ପରିଚିତ କରାଯାଇଥିଲା । ପୁରାତନ ଛାତ୍ର ତଥା ଜଣେ ପ୍ରଧାନ ଶିକ୍ଷକ ଏବଂ ପ୍ରସିଦ୍ଧ ସିନେ ଅଭିନେତା ରତନ ମେହେର ସମ୍ମାନିତ ଅତିଥି ଭାବରେ ଆସି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଇଥିଲେ । ତୃତୀୟ ଦିବସରେ ନୂତନ ଶିକ୍ଷାନୀତି ୨୦୨୦ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚିତ ହୋଇଥିଲା । ଚତୁର୍ଥ ତଥା ଅନ୍ତିମ ଦିବସରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ଅକ୍ଷୟ ମିଶ୍ର ମୁଖ୍ୟ ଅତିଥି ଓ ପ୍ରମେୟ ନ୍ୟୁଜ ୭ର ଡିଜିଏମ୍‌ ଅଖିଳ ଚନ୍ଦ୍ର ହୋତା ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ଓ ସମାଜରେ ଶିକ୍ଷକଙ୍କ ଭୂମିକା କ’ଣ ସେ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମର ଉପଦେଷ୍ଟା ଭାବରେ ସହକାରୀ ପ୍ରଫେସର ଡ. ଲଳିତ କୁମାର ପାତ୍ର ଓ ଡ. ସଂଜୀବ କୁମାର ତ୍ରିପଠୀ ଦାୟିତ୍ଵ ନିର୍ବାହ କରିଥିଲେ । ଏହି ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ. ସୁଧୀର ସାହୁ, ଡ. ଅଜିତ କୁମାର ପ୍ରଧାନ, ଜିତେନ୍ଦ୍ରୀୟ ତ୍ରିପାଠୀ, ମଦନ ସିଂ ମାଝୀ ଓ ସାବିତ୍ରୀ ସେଠ୍ ସଂଯୋଜନା ଓ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ ।

Leave A Reply

Your email address will not be published.