ଶ୍ରାବଣ ମାସର ତୃତୀୟ ସୋମବାର ଗୁର୍ଜୀମୁଣ୍ଡାରେ ଶୈବ ଭକ୍ତଙ୍କ ପ୍ରବଳ ଭିଡ଼

କେସିଙ୍ଗା, (ପ୍ରୀତେଶ ପଟେଲ) : ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡାବନ୍ଧ ପଞ୍ଚାୟତର ଗୁର୍ଜିମୁଣ୍ଡା ଠାରେ ରହିଛି ମା’ ଯୋଗମାୟାଙ୍କ ପୀଠ । ଏହି ପୀଠରେ ବର୍ଷତମାମ ଜନସମାଗମ ଦେଖିବାକୁ ମିଳୁଥିବା ବେଳେ ଶ୍ରାବଣ ମାସରେ ଏହି ଭିଡ଼ ଅଧିକ ହୋଇଯାଏ । ଏହି ପୀଠ କଳାହାଣ୍ଡି ଜିଲ୍ଲାର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳି ମଧ୍ୟରେ ଅନ୍ୟତମ । କଳାହାଣ୍ଡି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ଏବଂ ବହୁ ଦୂରଦୁରାନ୍ତରୁ ଭକ୍ତମାନେ ଏଠାକୁ ଦର୍ଶନ ପାଇଁ ଆସିଥାନ୍ତି । ଆଜି ଶ୍ରାବଣ ମାସର ତୃତୀୟ ସୋମବାର ପରିଲକ୍ଷେ ଶିବଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ସୋମବାରକୁ ଆଖି ଆଗରେ ରଖି ରବିବାର ରାତିରୁ ଭକ୍ତମାନେ ଧାଡ଼ି ଲଗାଇଥିବା ଦେଖିବାକୁ ମିଳିଛି । ଏହି ପୀଠକୁ ଲାଗି ରହିଛି ଦେବ ଗୁମ୍ଫା । ଏଠାରେ ମଧ୍ୟ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ବିରିପୁଡ଼ା ପାହାଡ଼ ଉପରେ ରହିଛି ଉକ୍ତ ଦେବ ଗୁମ୍ଫା । ବୋଲ୍‌ବମ୍ ନାରା ଓ ବାଜାରେ କମ୍ପି ଉଠୁଥିଲା ପୀଠ ପରିସର । ନାଚଗୀତରେ ମସଗୁଲ୍ ହୋଇ ଭକ୍ତ ଶିବ ଦର୍ଶନ କରିବା ପାଇଁ ଯାଉଥିବା ଦେଖିବାକୁ ମିଳିଥିଲା । ଆଜି ଭକ୍ତଙ୍କ ପ୍ରବଳ ସମାଗମକୁ ଆଖି ଆଗରେ ରଖି କେସିଙ୍ଗା ଏକ ଦନ୍ତ କମିଟି ପକ୍ଷରୁ ମନ୍ଦିର ପରିସର ମଧ୍ୟରେ ଜଳଖିଆର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.