ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାଏକ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜ୍ଞାନ ବଲ୍ଲଭ ଦାସ ଓ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀମତୀ ସଙ୍ଘମିତ୍ରା ପଟ୍ଟନାୟକ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ପୋଷଣ ମାସ ଆମ ସମାଜରେ ପ୍ରତ୍ୟେକ ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧିର ଏକ ମହତ୍ତ୍ୱପୂର୍ଣ୍ଣ ଅବସର । ଶିଶୁ ଓ ଗର୍ଭବତୀ ମହିଳାଙ୍କ ପୋଷଣ ଉନ୍ନତି ପାଇଁ ସରକାର ଓ ମିଶନ୍ ଶକ୍ତି ବିଭାଗ ବିଭିନ୍ନ ଯୋଜନା ଗ୍ରହଣ କରିଛନ୍ତି ଓ ସେଗୁଡିକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ । ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରିବା ସହିତ ଆଦ୍ୟ ଶୈଶବ ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ରକ୍ତହୀନତା ବିଷୟରେ ସଚେତନ ହେବା, ଏହାର ପରୀକ୍ଷା, ଚିକିତ୍ସା ବିଷୟରେ ଆଲୋଚନା କରିବା, ଦୈନନ୍ଦିନ ଖାଦ୍ୟରେ ବିବିଧତା ଆଣିବା ପାଇଁ ଯତ୍ନବାନ୍ ହେବା ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ । ଆଶା ଓ ଅଙ୍ଗନବାଡି କର୍ମୀମାନେ ନିଜର ଦାୟିତ୍ୱ ପ୍ରତି ଯଥେଷ୍ଟ ଯତ୍ନବାନ ହେବାପାଇଁ ଓ ଶିଶୁର ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଖୁଆଇବା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଥିଲେ । ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ ତୃଣମୂଳ ସ୍ତରରେ ଗାଁ ଗାଁକୁ ଯାଇ ଗର୍ଭବତୀ ମା’ଙ୍କୁ ସୁପୋଷଣ ଖାଦ୍ୟ ଓ ସ୍ୱାସ୍ଥ୍ୟ ସେବା ସଚେତନତା ପହଞ୍ଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି କହିଥିଲେ ପୋଷଣ ହେଉଛି ଜୀବନର ଭିତ୍ତି । ଶିଶୁଟିଏ ଯେତେବେଳେ ଜନ୍ମ ନେଇଥାଏ, ସେବେଠାରୁ ନିଜ ଶରୀର ଓ ମାନସିକ ବିକାଶ ପାଇଁ ସଠିକ ପୋଷଣ ଆବଶ୍ୟକ । ଯଦି ଶିଶୁ ଶକ୍ତ ଓ ସୁପୋଷିତ ହୁଏ, ସେ ଆଗାମୀ ଦିନର ସୁସ୍ଥ ନାଗରିକ ଭାବେ ଦେଶ ଓ ସମାଜର ଶକ୍ତି ହେବ । ତେଣୁ ସମସ୍ତ ଗର୍ଭବତୀ ମହିଳା, ଶିଶୁ ଓ କିଶୋରୀମାନେ ଯେପରି ସୁପୋଷିତ ହୁଅନ୍ତି, ଏହାକୁ ଆମେ ସମସ୍ତେ ମିଶି ନିଶ୍ଚିତ କରିବାକୁ ହେବ । ସୁସ୍ଥ ମା’ ହେଉଛି ସୁସ୍ଥ ଶିଶୁର ଭିତ୍ତି ଏବଂ ସୁସ୍ଥ ଶିଶୁ ହେଉଛି ଦେଶର ଆଗାମୀ ଶକ୍ତି । ଅତିରିକ୍ତ ଜିଲ୍ଲାପାଳ କହିଲେ ଆଜି ଆମେ ଏଠାରେ ଯୋଗ ଦେଇଛୁ ଜିଲ୍ଲା ସ୍ତରୀୟ ପୋଷଣ ମାସ ଉତ୍ସବ ପାଳନ କରିବା ପାଇଁ । ଏହା କେବଳ ଏକ ଉତ୍ସବ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଜୀବନ ସଚେତନତାର ଏକ ଆନ୍ଦୋଳନ । ପୋଷଣ ହେଉଛି ସ୍ୱାସ୍ଥ୍ୟର ମୂଳ ଭିତ୍ତି । ଯଦି ଶିଶୁ ଏବଂ ଗର୍ଭବତୀ ମହିଳା ସୁପୋଷିତ ହୁଅନ୍ତି, ତାହେଲେ ସେମାନଙ୍କ ଶରୀରିକ ଓ ମାନସିକ ବିକାଶ ଭଲ ହୁଏ, ଏବଂ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠିତ ହୁଏ । ପୋଷଣ ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର, ଓ ମିଶନ୍ ଶକ୍ତି ଗୋଷ୍ଠୀମାନଙ୍କ ମିଳିତ ଉଦ୍ୟମ ଆବଶ୍ୟକ । ଏଥି ସହିତ ବଜାରରେ ବିକ୍ରି ହେଉଥିବା ପାଟି ସୁଆଦିଆ ଫାଷ୍ଟ ଫୁଡ ଓ ବିଭିନ୍ନ ପ୍ରକାର ଜଙ୍କ ଫୁଡ ପ୍ରତି ଆକୃଷ୍ଟ ନହୋଇ ଘୋରଇ ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦେଇଥିଲେ । ଡା. ଦାଶ ସୁସ୍ଥ ଜୀବନ ଧାରଣ ପାଇଁ ସନ୍ତୁଳିତ ଆହାର ଗ୍ରହଣ ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ କୃଷି ଅଧିକାରୀ, କହିଲେ ସୁସ୍ଥ ସବଳ ରହିବା ପାଇଁ ମିଲେଟ ଭଳି ପ୍ରଚୁର ପୋଷକ ତତ୍ୱ ଥିବା ସ୍ୱଦେଶୀ ଖାଦ୍ୟ ଦ୍ରବ୍ୟ ଉପରେ ନିର୍ଭର କରିବା ଉଚିତ । ବୈଜ୍ଞାନିକ ଶ୍ରୀମତୀ ପଟ୍ଟନାୟକ କୃଷି ଉତ୍ପାଦନ ପାଇଁ ରାସାୟନିକ ସାର ପ୍ରୟୋଗ ନକରି ଜୈବିକ ସାର ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଅତିଥିବୃନ୍ଦ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ମୋରଡା ସିଡିପିଓ, ବାଙ୍ଗରିପୋଷୀ ଲେଡି ସୁପରଭାଇଜର, ୩ ଜଣ ବ୍ଲକ ସଂଯୋଜକ, ଉତ୍ତମ ପୋଷଣଯୁକ୍ତ ପାକ ପଦ୍ଧତି ପାଇଁ କିଛି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଓ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗିଙ୍କୁ ପୁରସ୍କୃତ କରିଥିଲେ । ଏଥି ସହିତ ୫ ଜଣ ଶିଶୁଙ୍କୁ ଏବଂ ୩ ଜଣ ଗର୍ଭବତୀ ମହିଳାଙ୍କୁ ପୋଷଣ ଝୁଡି ପ୍ରଦାନ କରିଥିଲେ । ଖୁଣ୍ଟା ବ୍ଲକ ସଂଯୋଜିକା ବିଧିଲିକା ରାୟ କାର୍ଯ୍ୟକ୍ରମକୁ ସଂଚାଳନ କରି ଶିଶୁ, କିଶୋରୀ ଓ ଗର୍ଭବତୀ ମା’ଙ୍କ ପୋଷଣ ନିରାପତ୍ତା ଓ ସ୍ୱାସ୍ଥ୍ୟ ସୁଧାର ପାଇଁ ଆହ୍ୱାନ ଜଣାଇବା ସହ ଶିଶୁକୁ କେମିତି ଉପଯୁକ୍ତ ଭାବେ ପରିପୋଷଣ କରି ଦେଶ ପାଇଁ ଗୋଟେ ସୁସ୍ଥ ସବଳ ନାଗରିକ ଟିଏ କରିବା ସେ ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବିଭିନ୍ନ ବ୍ଲକର ସିଡିପିଓ, କାର୍ଯ୍ୟକ୍ରମ ଅଧିକାରିଣୀ, ସୁପରଭାଇଜର, ବ୍ଲକ ସଂଯୋଜକ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଏବଂ ଅଙ୍ଗନୱାଡ଼ି କର୍ମୀ ମାନେ ଯୋଗ ଦେଇଥିଲେ ।