ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷଣ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟମାନଙ୍କରେ “ପୋଷଣ ମାସ” ପାଳନ କରାଯାଉଛି । ଏହି କ୍ରମରେ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ପୋଷଣ ମେଳାର ଆୟୋଜନ କରାଯାଇଥିଲା ଯେଉଁଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବିଭିନ୍ନ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଖାଦ୍ୟ ତଥା ଭିଟାମିନ ଯୁକ୍ତ ଖାଦ୍ୟଗୁଡିକୁ ବର୍ଗୀକରଣ କରି ପ୍ରଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷକ ବିଶ୍ୱାମିତ୍ର ବାଗଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ସହ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ । କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୋଷଣ ଉପରେ ସଚେତନତା ନିମନ୍ତେ ସେପ୍ଟେମ୍ବର ମାସ ପୋଷଣ ମାସ ଭାବରେ ପାଳନ କରାଯାଉଛି । ପ୍ରତି ବର୍ଷ ସେପ୍ଟେମ୍ବର ୧ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ଭାବରେ ପାଳନ କରାଯାଉଛି । ଏନେଇ ବୈତାଳି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁ କହିଛନ୍ତି, “ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସମସ୍ତ ଛାତ୍ରଛାତ୍ରୀ ପୋଷଣ ଉପରେ ସଚେତନ ହୁଅନ୍ତୁ’ । ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ପ୍ରକାରର ଖାଦ୍ୟରେ ଥିବା ପୋଷକତତ୍ୱ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ପାଇବା ପାଇଁ ଏହି ପୋଷଣ ମେଳା ଆୟୋଜନ କରାଯାଇଛି । ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ନିଶ୍ଚିତ ଭାବେ ଉପକୃତ ହେବେ ବୋଲି ପ୍ରଧାନ ଶିକ୍ଷକ ମତପ୍ରକାଶ କରିବା ସହ ସିଆରସିସିଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ଜେମାଳିନୀ ସେଠ୍ ମେଳା ଆୟୋଜନ ଦାୟିତ୍ୱ ବହନ କରିବା ସହ ବର୍ଜନୀୟ ଖାଦ୍ୟ ଏବଂ ପାନୀୟ ଉପରେ ଛାତ୍ରଛାତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସହକାରୀ ଶିକ୍ଷକ ଜଗନ୍ନାଥ ପଧାନ ବିଭିନ୍ନ ଖାଦ୍ୟ ତଥା ପାନୀୟରୁ ମିଳୁଥିବା ଭିଟାମିନ୍ ବିଷୟରେ ଆଲୋକପାତ କରିବା ସହ ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ତାହା କେତେ ଉପଯୋଗୀ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ସାହୁ ପ୍ରତିଦିନ ଖାଦ୍ୟରେ ପୁଷ୍ଟିକର ଖାଦ୍ୟ ସାମିଲ୍ କରି ବର୍ଜନୀୟ ଖାଦ୍ୟଠାରୁ ନିଜକୁ ଦୂରେଇ ସୁସ୍ଥ ଜୀବନଯାପନ କରିବାକୁ ଦୃଢୋକ୍ତି ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀମାନେ ଏହି ମେଳା ଆୟୋଜନ ଦ୍ୱାରା ବେଶ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.

error: Content is protected !!