ଲୁଟ୍‌ କରୁଥିବା ଦୁର୍ବୃତ୍ତ ମାନେ ତୁରେକେଲା ପୋଲିସ ପଞ୍ଝାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗତ ୨୮ ତାରିଖ ବୁଧବାର ଦିନ ରାତି ୮ଟା ସମୟରେ ବୁଢ଼ୀବାହାଲ ବସ୍‌ଷ୍ଟାଣ୍ଡ ନିକଟରେ କିଛି ଦୁର୍ବୃତ୍ତ ୨ ଜଣ ବ୍ୟକ୍ତିଙ୍କ ଠାରୁ ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ । ତୁରେକେଲା ପୋଲିସ ୨୪ ଘଣ୍ଟା ଭିତରେ ଦୁର୍ବୃତ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଗତ ବୁଧବାର ଦିନ ରାତି ୮ଟା ସମୟରେ ତୁରେକେଲା ଥାନା ଅନ୍ତର୍ଗତ ବୁଢ଼ୀବାହାଲ ଗ୍ରାମର ହେମକାନ୍ତ ବାଗ ଏବଂ ତାଙ୍କ ଭେଣେଇ ତୁରେକେଲାରୁ କାମସାରି ନିଜ ଗାଁକୁ ଫେରୁଥିଲେ । ଗାଁରେ ଥିବା ବସ୍‌ଷ୍ଟାଣ୍ଡ ନିକଟରେ ୬ରୁ ୭ ଜଣ ଦୁର୍ବୃତ୍ତ ତାଙ୍କ ବାଇକକୁ ଅଟକାଇ ମାଡ଼ ମାରି ତାଙ୍କ ଠାରୁ ହଜାରେ ଟଙ୍କା ସହ ତାଙ୍କ ବାଇକ୍‌କୁ ଛଡେଇ ନେଇ ଲାଠୋର ପଟେ ଫେରାର୍‌ ମାରିଥିଲେ । ଗାଁ ଲୋକଙ୍କ ସହାୟତାରେ ହେମକାନ୍ତ ସେମାନଙ୍କୁ ପିଛା କରି ଜଣକୁ କାବୁ କରିଥିଲେ । ଏନେଇ ତୁରେକେଲା ଥାନାରେ ସେ ଲିଖିତ ଅଭିଯୋଗ କରିଥିଲେ । କାବୁ କରିଥିବା ବ୍ୟକ୍ତିକୁ ପୋଲିସ ପଚରା ଉଚରା କରିବା ପରେ ଆହୁରି ୨ ଜଣ ଦୁର୍ବୃତ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ତୁରେକେଲା ଥାନା ଅନ୍ତର୍ଗତ ଗଇନ୍ଦିମାଲ ଗ୍ରାମର ଗୌତମ ଧରୁଆ (୨୩), କଟାଡୁଙ୍ଗରି ଗ୍ରାମର ଧନକେଶ୍ୱର ବାଗ (୨୦) ଏବଂ ଡୁମେରମୁଣ୍ଡା ଗ୍ରାମର ରାହୁଲ ମାଝୀ (୧୯) ବୋଲି ଜଣାପଡିଛି । ତୁରେକେଲା ପୋଲିସ ସେମାନଙ୍କ ଠାରୁ ମୋଟ୍‌ ୪ଟି ବାଇକ୍‌ ଜବତ କରିଛି । ତନ୍ମଧ୍ୟରୁ ୨ଟି ବାଇକ୍‌ ଛତିଶଗଡ ରାଜ୍ୟ ନମ୍ବର ହୋଇଥିବା ବେଳେ ବାକି ଦୁଇଟି ଓଡିଶା ନମ୍ବର ଥିବା ସୂଚନା ମିଳିଛି । ସେମାନଙ୍କ ଠାରୁ ତିନୋଟି ମୋବାଇଲ ଏବଂ ୭୮୦ ଟଙ୍କା ମଧ୍ୟ ଜବତ ହୋଇଥିବା କେସ୍‌ ତଦନ୍ତକାରିଣୀ ଅଧିକାରୀ ତର୍ଷିଳା ବାର୍ଲା ସୂଚନା ଦେଇଛନ୍ତି । ସେହିପରି ଲାଠୋର ଥାନା କେସ୍‌ ନଂ ୧୮୯/୨୦୨୪ ଏବଂ ବଙ୍ଗୋମୁଣ୍ଡା ଥାନା କେସ ନଂ ୨୧୦/୨୦୨୪ରେ ଅଭିଯୁକ୍ତ ମାନଙ୍କ ନାମରେ କେସ୍‌ ଥିବା ଜଣାପଡିଛି । ସେମାନେ ଆହୁରି କେତେ ଜାଗାରେ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଅଛନ୍ତି ତାହା ତୁରେକେଲା ପୋଲିସ ଛାନ୍‌ଭିନ୍‌ କରୁଛି । ଏନେଇ ତୁରେକେଲା ଥାନା କେସ୍‌ ନଂ ୨୬୫/୨୦୨୪ରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ତୁରେକେଲା ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.