ପେକ୍ସ କର୍ମଚାରୀଙ୍କୁ ହତ୍ୟା : କାରଣ ଖୋଜୁଛି ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ଥାନା ଅନ୍ତର୍ଗତ ବିଜେପୁର ପେକ୍ସରେ ପିଅନ କାମ କରୁଥିବା ଥୁବୁଡ଼ିଙ୍ଗ୍‌ ଗାଁର ସୂର୍ଯ୍ୟମଣି ମାଝୀ(୩୮)ଙ୍କୁ ହତ୍ୟା କରାଯାଇଥିବା ଆଜି ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନ୍ୟ ଦିନ ପରି ଆଜି ମଧ୍ୟ ବିଜେପୁର ପେକ୍ସରେ କାମ ସାରି ସୂର୍ଯ୍ୟମଣି ନିଜ ମୋଟର ସାଇକେଲ୍‌ ସାହାଯ୍ୟରେ ମଧ୍ୟାହ୍ନ ଭୋଜନ ପାଇଁ ଯାଉଥିବା ବେଳେ ଘୁଘୁରପଲା ଗାଁକୁ ଯିବା ବାଟରେ ରହିଥିବା ଏକ ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ତାଙ୍କୁ ଅତର୍କିତ ଭାବେ କୌଣସି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପ୍ରଚଣ୍ଡ ଆକ୍ରମଣରେ ଚେତାଶୂନ୍ୟ ହୋଇ ଘଟଣାସ୍ଥଳରେ ପଡ଼ି ରହିଥିଲେ ସୂର୍ଯ୍ୟମଣି । କୌଣସି ସୂତ୍ରରୁ ଖବର ପାଇ ସୂର୍ଯ୍ୟମଣିଙ୍କ ବଡ଼ ଭଉଣୀ ପଦ୍ମାବତୀ ମାଝୀ ମୁମୁର୍ଷୁ ଅବସ୍ଥାରେ ନିଜ ଭାଇଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଆଡ୍‌ମିଟ୍‌ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୂର୍ଯ୍ୟମଣିଙ୍କ ମୃତ୍ୟୁ ଘଟିଥିଲା । ତେବେ ମୃତକ ସୂର୍ଯ୍ୟମଣିଙ୍କ ବଡ଼ ଭଉଣୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଜୁଲିଆ ଗ୍ରାମର ଅଶୋକ ହରପାଲ ହୋଇଥିବା ବେଳେ ଅନ୍ୟ ଜଣେ ମୁଖା ପିନ୍ଧିଥିବାରୁ ତାଙ୍କୁ ଚିହ୍ନି ପାରି ନଥିବା ସୂର୍ଯ୍ୟମଣିଙ୍କୁ ଡାକ୍ତରଖାନା ଆଣିବା ବେଳେ ତାଙ୍କୁ ନିଜେ ସୂର୍ଯ୍ୟମଣି କହିଛନ୍ତି ।

Leave A Reply

Your email address will not be published.