ବାଇକ୍ ଲୁଟେରାଙ୍କୁ ଗିରଫ କଲା ଲୋଇସିଂହା ପୋଲିସ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଏକ ଆନ୍ତଃଜିଲ୍ଲା ବାଇକ୍ ଲୁଟେରାଙ୍କୁ ଲୋଇସିଂହା ପୋଲିସ କାବୁ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି । ସୂଚନା ମତେ, ଲୋଇସିଂହା ଥାନା ସାଲେଭଟା ସାପ୍ତାହିକ ବଜାର ନିକଟରେ ରାତ୍ରୀକାଳୀନ ପେଟ୍ରୋଲିଂ କରୁଥିବା ବେଳେ ଏଏସ୍‌ଆଇ ଚିତ୍ରସେନ ସାହୁ ସନ୍ଧିଗ୍ଧ ଅବସ୍ଥାରେ ଏକ ବାଇକ୍ ଲୁଟେରାଙ୍କୁ ଧରିଥିଲେ । ଲୁଟେରା ଜଣକ ସୋନପୁର ଟାଉନ ଥାନା ଅନ୍ତର୍ଗତ ହରଡ଼ଖୋଲ ନିକଟସ୍ଥ ସାହାଜପିଟା ଗ୍ରାମର ନେପାଲ ମେହେରଙ୍କ ପୁଅ ରାଜୁ ବୋଲି ପୋଲିସ ସୂଚନା ଦେଇଛି । ରାଜୁଙ୍କ ନିକଟରୁ ଚୋରି ହୋଇଥିବା ଏକ ହିରୋ ସ୍ପ୍ଲେଣ୍ଡର ବାଇକ୍ (ସିଜି ୦୬ ଜିଏଚ୍‌ ୧୦୮୦)କୁ ପୋଲିସ ଜବତ କରିଥିଲା । ତେବେ ଅଧିକ ପଚରା ଉଚୁରା ପରେ ଅଭିଯୁକ୍ତ ରାଜୁଙ୍କ ନିକଟରୁ ପୋଲିସ ଆଉ ଦୁଇଟି ବାଇକ୍ ଜବତ କରିଥିବା ବେଳେ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏଥି ସହିତ ଉଦ୍ଧାର ହୋଇଥିବା ଦୁଇଟି ଗାଡ଼ି କିଣିଥିବା ମାଲିକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ କାମଘାଟ ଗ୍ରାମର ଶମ୍ଭୁ ପ୍ରସାଦ ସାହୁ ଏବଂ ସୀତାରାମ ସାହୁଙ୍କୁ ମଧ୍ୟ ଗିରଫ୍‌ କରାଯାଇଥିବା ଆଇଆଇସି ଯାଜ୍ଞସେନୀ ନାଏକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.