jayashree

ବଲାଙ୍ଗିର ପୋଲିସ ହାତରେ କ୍ରିଫ୍‌ଟୋ କରେନ୍ସି ର‍୍ୟାକେଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ରିଫ୍‌ଟୋ କରେନ୍‌ସି ର‍୍ୟାକେଟ୍‌ ଠାବ କରି ବଲାଙ୍ଗିର ପୋଲିସ ୭ ଜଣଙ୍କୁ ଗିରଫ୍‌ କରିଛି । ଏ ସଂପର୍କରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସୁଦପଡ଼ାରେ ଫେଗ୍‌ମାଟାଇଟ୍‌ ଅଫିସ ଥିଲା କ୍ରିଫ୍‌ଟୋ କରେନ୍‌ସି ର‍୍ୟାକେଟ୍‌ର ମୁଖ୍ୟ କାର୍ଯ୍ୟାଳୟ । ପ୍ରଶାନ୍ତ ମେହେର ଏହାର ସିଇଓ ଦାୟିତ୍ୱରେ ଥିଲେ । ପ୍ରଶାନ୍ତଙ୍କ ଭାଇ ଦୁଷ୍ମନ୍ତ ମେହେର ଏହାର ଏମ୍‌ଡି ଥିବା ବେଳେ ତାଙ୍କ ଅଙ୍କଲ୍‌ ହେମନ୍ତ ମେହେର ମଧ୍ୟ ଏହି କାରବାରରେ ସଂପୃକ୍ତ ଥିଲେ । ଉକ୍ତ ତିନିଜଣଙ୍କ ସହ ବଲାଙ୍ଗିରର ବିଭିନ୍ନ ଅଂଚଳରୁ ୬ ଜଣଙ୍କୁ ଏବଂ ଯାଜପୁରରୁ ସୁବ୍ରତ ଓଝାଙ୍କୁ ଏହି ମାମଲାରେ ଗିରଫ୍‌ କରିଛି ବଲାଙ୍ଗିର ପୋଲିସ । ଅଭିଯୁକ୍ତମାନଙ୍କ ୫୫ ଲକ୍ଷ ଟଙ୍କା ବ୍ୟାଙ୍କ୍‌ରେ ଫ୍ରିଜ୍‌ କରିବା ସହ ଅଭିଯୁକ୍ତମାନଙ୍କ ଅଫିସ୍‌ ଓ ହାଉସ୍‌ ସର୍ଚ୍ଚରୁ ୮ ଲକ୍ଷରୁ ଅଧିକ ଟଙ୍କା ଏବଂ ୬ଟି ବଡ଼ ଗାଡ଼ି, ୨୫ଟି ମୋବାଇଲ୍‌ ଫୋନ୍‌, କିଛି କଂପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ୍‌ କରାଯାଇଥିବା ସୂଚନା ଦିଆଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ପ୍ରଶାନ୍ତ ମେହେର ଗତ ଜୁଲାଇ ୨୦୨୨ରେ ସୁଦପଡ଼ାରେ ଫେଗ୍‌ମାଟାଇଟ୍‌ ନାମକ ଏକ ଅଫିସ ଖୋଲି କ୍ରିଫ୍‌ଟୋ କରେନ୍ସ କାରବାର ଆରମ୍ଭ କରିଥିଲେ । ଏଜେଣ୍ଟମାନଙ୍କ ମାଧ୍ୟମରେ ତଥା ୱେବ୍‌ସାଇଟ୍‌ ମାଧ୍ୟମରେ ସେମାନେ ଏଥିରେ ଟଙ୍କା ନିବେଶ ପାଇଁ ଲୋକଙ୍କୁ ପ୍ରଲୋଭନ ଦେଖାଇ କବ୍‌ଜା କରୁଥିଲେ । ୧ ହଜାର କୋଟି କଏନ୍‌ ଏମାନଙ୍କ ଲଂଚ୍‌ କରିବାର ପ୍ଲାନ୍‌ ଥିବା ବେଳେ ଏବେ ୧.୫ ପ୍ରତିଶତ କଏନ୍‌ ସେମାନେ ମାର୍କେଟରେ ସାର୍‌କୁଲେସନ୍‌ କରିଥିଲେ । ତେବେ ନିବେଶକାରୀଙ୍କୁ ଆର୍ଟିଫିସଆଲ୍‌ ଗ୍ରୋ ଦେଖାଇବା ସହ ବିଭିନ୍ନ ପେକେଜ୍‌ର ପ୍ରଲୋଭନ ଦେଖାଇ ଆକୃଷ୍ଟ କରି ଆସୁଥିଲେ । ଏପରିକି ପେକେଜ୍‌ ଜରିଆରେ ଗୋଆ, ଥାଇଲାଣ୍ଡ୍‌ ଟ୍ରିପ୍‌ ଶହ ଶହ ନିବେଶକାରୀଙ୍କୁ ସେମାନେ ଦେଇ ସାରିଥିବା ଏସ୍‌ପି ଶ୍ରୀ ଖିଲାରୀ ସୂଚନା ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଲା, ପ୍ରଶାନ୍ତ ମେହେର ଓ ତାଙ୍କ ଦଳ ଲୋକଙ୍କଠାରୁ ଟଙ୍କା ଆଣି ନିଜ ପାଇଁ ଖର୍ଚ୍ଚ କରି ବିଭିନ୍ନ ବ୍ୟବସାୟରେ ଲଗାଉଥିଲେ । ସୋସିଆଲ୍‌ ମିଡ଼ିଆ ମାଧ୍ୟମରେ ଏହି ମାମଲା ସଂପର୍କରେ ସୂଚନା ପାଇଁ ବଲାଙ୍ଗିର ସାଇବର୍‌ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନାରେ କୁହାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୨ ଶହ ଲୋକ ଏହି କ୍ରିଫ୍‌ଟୋ କରେନ୍ସିରେ ଟଙ୍କା ଲଗାଇଥିବା ବେଳେ ସେମାନଙ୍କଠାରୁ ୯ରୁ ୧୦ କୋଟି ଟଙ୍କା ଆଦାୟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.