jayashree

ଚୋରି ବୃଦ୍ଧି ପରେ ପୁଲିସର ତତ୍ପରତା : ବିଦ୍ୟୁତ ତାର ସହ ବ୍ୟାଟେରୀ ଜବତ କରିଛି ପୁଲିସ

  • କବାଡିରେ ଚଢାଉ, ୩ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ କ୍ରମାଗତ ଚୋରି ବୃଦ୍ଧି ପାଇବାରେ ଲାଗିଥିଲା । ଖବର ପ୍ରକାଶ ପରେ ପୁଲିସ ଉପରେ ଚାପ ବଢିଥିଲା । ଚୋରି ନେଇ ସହରାଞ୍ଚଳ ଥାନା ପୁଲିସ ତତ୍ପରତା ଦେଖାଇଥିଲା । ଗୁରୁବାର ରାତିରେ ପୁଲିସ ପଇଁତରା ମାରୁଥିବା ବେଳେ ରେଳଷ୍ଟେସନ ରାସ୍ତାରେ ଥିବା ଏକ କବାଡି ଦୋକାନରେ ଖୋଳତାଡ କରିଥିଲେ । ସେଠାରୁ ବହୁ ପରିମାଣର ବ୍ୟାଟେରୀ ଜବତ କରିଥିଲା ପୁଲିସ । ଏହାର ମାଲିକାନା ଓ ଚୋରି ସାମଗ୍ରୀ କି ନୁହେଁ ପୁଲିସ ଖୋଳତାଡ କରୁଛି । ତେବେ ବିଦ୍ୟୁତ ବିଭାଗର ତାର ବି ମିଳିଛି । ଯାହା ଚୋରା ସାମଗ୍ରୀ ବୋଲି ନିଶ୍ଚିତ ହୋଇଛି ପୁଲିସ । ବିଭିନ୍ନ ସାମଗ୍ରୀ ଥାନାକୁ ଅଣାଯାଇଥିବା ଦେଖିବାକୁ ମିଳିଛି । ଏହି କାରବାରରେ ଦିଲ୍ଲୀର ଜଣେ ଓ ଉତ୍ତର ପ୍ରଦେଶର ୨ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚାଲିଛି । ଦୀର୍ଘ ବର୍ଷ ଧରି ସେମାନେ ଏଠାରେ ରହି କାରବାର ଚଳାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ବରଗଡ ଓ ବଲାଙ୍ଗିର ଜିଲ୍ଲାରେ ଏହି ଚୋର ରାକେଟ କାମ କରୁଛି । ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛନ୍ତି । ରାତ୍ରିକାଳୀନ ପୁଲିସ ପହରା ବ୍ୟବସ୍ଥା କଡାକଡି କରାଯିବା ସହ କିଛି ଅଣ ଓଡିଆଙ୍କ ଫଟୋ ଚିହ୍ନଟ କରିବା ସହ ସନ୍ଦେହ ହେଲେ ପିସିଆରକୁ ଜଣାଇବା ପାଇଁ ପୁଲିସ ସୂଚନା ଦେଇଛି । କାରଗିଲନଗର, ଇନ୍ଦିରାନଗର ଓ ଅନ୍ୟାନ୍ୟ ସ୍ଥାନରେ କଡା ପହରା ଦେବାକୁ ତାଗିଦ କରାଯାଇଛି । ବାରମ୍ବାର ଚୋରି ହେବା ରାତ୍ରିକାଳୀନ ପୁଲିସ ପହରା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି ବୋଲି ମତ ପ୍ରକାଶ ପାଉଛି । ଧରାପଡିଥିବା ଚୋର ରାକେଟର ନେଟୱାର୍କ ଦିଲ୍ଲୀ ଯାଏଁ ଲମ୍ବିଛି । ଦିଲ୍ଲୀରେ କିଙ୍ଗପିନ୍ ରହିଛି । ବହୁ ଅଣ ଓଡିଆ ଏଥିରେ ସାମିଲ ରହିଛନ୍ତି ଓ ବଲାଙ୍ଗିର ସହରରେ ସେମାନେ ବେଶ ସକ୍ରିୟ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.