
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସଦର ପୁଲିସ ହାବୁଡରେ ବିଦ୍ୟୁତ ତାର ଚୋର । ରାଜ୍ୟ ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରୁଥିବାବେଳେ ଧରିଲା ବଲାଙ୍ଗିର ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶ ରାଜ୍ୟ ଗାଜିଆବାଦର ଜାବେଦ ମଲ୍ଲିକ, ଫୈଜଲ ମଲ୍ଲିକ ଓ ସମ୍ବଲପୁର ମୋଦୀପଡାର ଶିବ ଶର୍ମା । ସେମାନଙ୍କ ଠାରୁ ୫୩ ବଣ୍ଡଲ ବିଦ୍ୟୁତ ତାର ଜବତ କରାଯାଇଛି । ଚୋରି କରିଥିବା ତାର ରାୟପୁର ଚାଲାଣ କରିବାକୁ ପ୍ରସ୍ତୁତ କରାଯାଉଥିବା ବେଳେ ପୁଲିସ ସେମାନଙ୍କୁ ଧରିଥିବା ବଲାଙ୍ଗିର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଦର ଥାନା ଅର୍ନ୍ତଗତ ଜାମୁଟିଆ, ସିନ୍ଦୁବାହାଲ, ଦୁଆନପାଲି ଅଞ୍ଚଳରୁ ବ୍ୟାପକ ପରିମାଣରେ ୩୩ କେଭି ବିଦ୍ୟୁତ ତାର ଚୋରି ହେଉଥିବା ଅଭିଯୋଗ ହୋଇଥିଲା । ପୁଲିସ ଏକ ଚୋରି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଏହି ଘଟଣାରେ କିଛି ଆନ୍ତଃରାଜ୍ୟ ଚୋର ସାମିଲ ଥିବା ଜାଣିବାକୁ ପାଇଥିଲା । ଚୋରମାନେ ଦିନବେଳା କବାଡି କାମ କରି ରାତିରେ ଚୋରି କରୁଥିଲେ । ଚୋରି କରିଥିବା ସାମଗ୍ରୀକୁ ବଲାଙ୍ଗିର ସହରର ଉଦୟନଗର ଠାରେ ଥିବା ଏକ ଘରେ ରଖୁଥିଲେ । ବିଦ୍ୟୁତ ତାରକୁ ରାୟପୁର ଚାଲାଣ କରିବାକୁ ସେମାନେ ପ୍ରସ୍ତୁତି କରୁଥିବାବେଳେ ସଦର ପୁଲିସ ମାଡିବସିଥିଲା । ବିଦ୍ୟୁତ ତାର ଜବତ କରିବା ସହିତ ଚୋର ମାନଙ୍କୁ ଗିରଫ କରିଥିଲା । ତେବେ ଜବତ ହୋଇଥିବା ତାରର ଆନୁମାନିକ ମୂଲ୍ୟ ପାଖାପାଖି ୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଅଭିଯୁକ୍ତ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।