ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : କଥା ଦେଇ କଥା ରଖିଲେ ପ୍ରଶାସନିକ ଅଧିକାରୀ । ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ୱାର୍ଡ ନଂ ୭ ବାଲିସାହିରେ ଥିବା ପୋଖରୀ ଦୀର୍ଘ ବର୍ଷ ହେବ ପଙ୍କ ଉଦ୍ଧାର ହୋଇ ନଥିବାରୁ ଖରାଦିନେ ପାଣି ଶୁଖି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥଲେ ଅଞ୍ଚଳବାସୀ । ଉକ୍ତ ପୋଖରୀର ପୁନଃ ଉଦ୍ଧାର ପାଇଁ ସାହି ବାସିନ୍ଦା ପ୍ରଶାସନକୁ ଅବଗତ କରିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଚେଇଁ ଉଠିବା ଜଣାପଡିଛି । ଫଳ ସ୍ୱରୂପ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ପୋଖରୀର ପୁନଃ ଉଦ୍ଧାର କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । ତହସିଲଦାର ଅରୁଣ କୁମାର ନାୟକ ଓ ଏନ୍ଏସି ଇଓ ଅବିନାଶ ମିଶ୍ର ବାଲିସାହି ଯାଇ ଶୁଖି ଫାଟି ପଡ଼ିଥିବା ପୋଖରୀ ବୁଲି ଦେଖିବା ସହ ସାହି ଲୋକଙ୍କ ସହ ଆଲୋଚନା କରି ବର୍ଷା ଦିନପୂର୍ବରୁ ପୋଖରୀ ଖନନ ପାଇଁ କଥା ଦେଇଥିଲେ । ସେଠାରେ ଶିଶୁ ଉଦ୍ୟାନ ସହ ଓପେନ ଜିମ୍ ନିର୍ମାଣ ପାଇଁ ଏନ୍ଏସି ପ୍ରଶାସନ ଯୋଜନା ପ୍ରସ୍ତୁତ କରୁଛି ବୋଲି ଇଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ବର୍ତମାନ ବର୍ଷାଦିନ ପୂର୍ବରୁ ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସାହି ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ସାହି ବାସିନ୍ଦା ତହସିଲଦାର ଅରୁଣ କୁମାର ନାୟକ ଓ ଇ.ଓ ଅବିନାଶ ମିଶ୍ରଙ୍କୁ ଧନ୍ୟବାଦ ଦେଇଛନ୍ତି ।