ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କୁମ୍ଭିକୋଟା ଗ୍ରାମ ପଞ୍ଚାୟତର ସଦର ମେନ୍ରୋଡରେ ପୂଜାରୀ ସାମା ଓ ତାଙ୍କ ୨ ସହୋଯୋଗୀ ମିଶି ପୋଡମରା ଗ୍ରାମର ସଞ୍ଜୟ କାନ୍ଧପାଣିକୁ କୌଣସି କଥାକୁ କେନ୍ଦ୍ର କରି କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରଯାଇଛି । କାଠ ଫାଳିଆରେ ଆକ୍ରମଣ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପୋଡ଼ମରା ଗ୍ରାମର ସଞ୍ଜୟ କନ୍ଧପାଣି (୩୫) । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ମୃତକଙ୍କ ପରିବାର ଓ ପୋଲିସ ସୂଚନା ଦେଇଛି । ଅନ୍ୟପକ୍ଷେ ପରକୀୟା ପ୍ରୀତି ପାଇଁ ହତ୍ୟାକାଣ୍ଡ ଘଟିଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ଏହି ମାମଲାରେ ରାୟଗଡ଼ା ପୋଲିସ ୨ ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି । ଘଟଣାରୁ ପ୍ରକାଶ ଯେ, ମୃତକ ସଞ୍ଜୟ ଓ ସୀମା ଜାଲମୁରି ଏକାଠି ବସି ମଦ୍ୟପାନ କରିଥିଲେ । ଏହାପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଝଗଡ଼ା ହୋଇଥିଲା । ଉତ୍ୟକ୍ତ ସୀମା ଏକ କାଠ ଫାଳିଆରେ ସଞ୍ଜୟଙ୍କ ମୁଣ୍ଡକୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ରାତିରେ ସଞ୍ଜୟଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସଞ୍ଜୟଙ୍କ ଅବସ୍ଥା ଗୁରୁତର ରହିଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁରକୁ ରେଫର କରିଥିଲେ । ସଞ୍ଜୟଙ୍କୁ ଆମ୍ବୁଲାନ୍ସରେ ବ୍ରହ୍ମପୁର ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଦୁର୍ଭାଗ୍ୟ ବଶତଃ ସେ ପଦ୍ମପୁର ନିକଟରେ ମୃତ୍ୟୁ ବରଣ କରିଥିବା ଶୁଣିବାକୁ ମିଳିଛି । ପଦ୍ମପୁର ଚିକିତ୍ସାଳୟକୁ ସ୍ଵାସ୍ଥ୍ୟ ଯାଞ୍ଚ କରିବାକୁ ନିଆ ଯାଇଥିବା ବେଳେ ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଣି ରାୟଗଡା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । କୃତଦେହକୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଖବର ପାଇ ପୁଲିସ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଛି । ଏହାସହ ଏସ୍ଡିପିଓ ଗୌରହରି ସାହୁଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । ଆକ୍ରମଣ କରିଥିବା ସାମା ଓ ତାଙ୍କ ସହଯୋଗୀକୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଥିବା ଏସ୍ଡିପିଓ ଶ୍ରୀ ସାହୁ କହିଛନ୍ତି ।
