oom

ସ୍କଟଲାଣ୍ଡରେ ପିଏଚ୍‌ଡି କରିବାକୁ ରିଷିଡାର ପରେଶ ରଣା ମନୋନୀତ

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : ଯୁକ୍ତରାଜ୍ୟ (ୟୁ.କେ) ସ୍ଥିତ ସ୍କଟଲାଣ୍ଡର ଇଡିନବର୍ଗ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରିବାକୁ ପରେଶ କୁମାର ରଣା ମନୋନୀତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ନିବାସୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରହଲ୍ଲାଦ ରଣା ଓ ଶିକ୍ଷୟତ୍ରୀ ସ୍ୱର୍ଗତା ଜୟନ୍ତୀ ପଣ୍ଡାଙ୍କ ପୁତ୍ର ପରେଶ ଇଡିନବର୍ଗ ବିଶ୍ୱବିଦ୍ୟାଳୟରେ କୋଷ ବିଜ୍ଞାନ ଉପରେ ପିଏଚ୍‌ଡି ଅଧ୍ୟୟନ କରିବେ । ଏଥିସହିତ “ଡାରୱିନ ଟ୍ରଷ୍ଟ ଅଫ ଇଡିନବର୍ଗ ସ୍କୋଲାରସିପ୍‌” ପାଇବା ପାଇଁ ମଧ୍ୟ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଛୋଟବେଳରୁ ମେଧାବୀ ଥିବା ପରେଶ ପ୍ରାଥମିକ ଶିକ୍ଷା ରିଷିଡା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅଧ୍ୟୟନ କରିଥିବା ବେଳେ ପରବର୍ତ୍ତୀ ଶିକ୍ଷା ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପାଟଣାଗଡ, ବିଦ୍ୟାସାଗର ଏକାଡେମୀ ବରଗଡ, ଓ.ଡି.ଏମ୍‌ ପବ୍ଲିକ ସ୍କୁଲ ଭୁବନେଶ୍ୱରରେ ଅଧ୍ୟୟନ କରିସାରିବା ପରେ କୋଲକାତା ସ୍ଥିତ ‘ଆଇଜର’ରେ ବି.ଏସ.ସି ଓ ଏମ.ଏସ.ସି ଶିକ୍ଷାଲାଭ କରିଥିଲେ । ଆଇଜରରେ ଅଧ୍ୟନରତ ଥିବା ବେଳେ ‘କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା’ରେ ସର୍ବଭାରତୀୟ ସ୍ତରରେ ୩୩ ନମ୍ବର ର‍୍ୟାଙ୍କ ହାସଲ କରିଥିଲେ । ଏଥିସହିତ ଆଇ.ଜି.ଇ.ଏମ୍‌(୨୦୧୮) ପ୍ରୋଗ୍ରାମର ଇନଟରନ୍ୟାସନାଲ ସେନ୍‌ଥେଟିକ ବାୟୋଲୋଜି କମ୍ପିଟିସନ (ପ୍ରୋଜେକ୍ଟ- ବେକମ୍ୟାନ)ରେ ଆଇଜର କୋଲକାତା ଟିମ୍‌ର ନେତୃତ୍ୱ ନେଇ ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଏଇ ପ୍ରୋଗ୍ରାମରେ ବିଶ୍ୱର ପ୍ରାୟ ଦେଢଶହରୁ ଅଧିକ ଦେଶର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେ ନିଜ କୃତିତ୍ୱ ପାଇଁ ମଣିପାଳ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ଆଇଆଇଟି ମୁମ୍ବାଇ, ସିସିଏମ୍‌ବି ଆଣ୍ଡ ସିଡିଏଫ୍‌ଡି ହାଇଦ୍ରାବାଦରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କର ଏଇ କୃତିତ୍ୱ ପାଇଁ ରିଷିଡା ଅଂଚଳର ବିଭିନ୍ନ ଅନୁଷ୍ଠାନ ଶୁଭେଚ୍ଛା ଜଣାଇଛନ୍ତି ।

jittmm
Leave A Reply

Your email address will not be published.