ମୁନିଗୁଡ଼ା, (ରମାକାନ୍ତ ପଡାଲ) : ମୁନିଗୁଡା ରେଞ୍ଜର ବିଭିନ୍ନ ଗାଁମାନଙ୍କରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଜଙ୍ଗଲ ଛାଡ଼ି ଏବେ ଜନବସତି ମୁହାଁ ହେଉଛନ୍ତି ହାତୀ । ମୁନିଗୁଡା ରେଞ୍ଜ ଅମ୍ବାଦଳା ସେକ୍ସନର ପିଡେଲପଦର, ଉମ୍ୱେର, ଖଲିଆଗୁଡ଼ା, କିଞ୍ଜିଲୁଆ, ନାନିବୁଟି, ଟିକରପଡା ଆଦି ଅଞ୍ଚଳରେ ୮ ଟିକିଆ ହାତୀ ପଲ ଚାଷୀଙ୍କ ଧାନ, ବିରି ଓ କାନ୍ଦୁଲ ଚାଷ ନଷ୍ଟ କରିଦେଇ ଥିବାବେଳେ ଅନ୍ୟ ଏକ ୫ଟିକିଆ ହାତୀପଲ ଦୁଇ ତିନିଦିନ ହେଲା ଅମ୍ବାଦଳା ସେକ୍ସନ ତେରିମେରି, କାର୍କାମାର୍କା, ଓଡମସ୍କା, ପେରାମେରା ଆଦି ଅଞ୍ଚଳରେ ଉପଦ୍ରପ ଆରମ୍ଭ କରିଛନ୍ତି । ବର୍ତ୍ତମାନ ହାତୀ ପୁଣ୍ଡେର ନିକଟ ଜଙ୍ଗଲରେ ରହିଥିବା ସୂଚନା ଦେଇଛି ବନ ବିଭାଗ । ବଣୁଆ ହାତୀପଲଙ୍କ ଉପଦ୍ରବ ଫଳରେ ଆତଙ୍କିତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ । ଏହି ହାତୀପଲ ପ୍ରତ୍ୟେକ ଦିନ କିଛି ନା କିଛି ଧନ ସମ୍ପତ୍ତି ନଷ୍ଟ କରୁଥିବା ଦେଖିବାକୁ ମିଳିଛି ।