ଆଜିଠାରୁ କଳାହାଣ୍ଡିରେ ହେଲ୍‌ମେଟ୍‌ ନାହିଁ ତ ପେଟ୍ରୋଲ ନାହିଁ

ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାରେ ଆଜିଠାରୁ ହେଲ୍‌ମେଟ୍‌ ବ୍ୟବହାର କରୁନଥିଲେ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ମିଳିବନି । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ । ଜିଲ୍ଲାରେ ଅନେକ ସମୟରେ ଯାନବାହାନ ଦୁର୍ଘଟଣା ଘଟି ଅକାଳେ ଜୀବନ ନଷ୍ଟ ହେଉଛି । ଅଧିକାଂଶ ବାଇକ୍‌ ଚାଳକ ମୃତ୍ୟୁମୁଖରେ ପଡୁଛନ୍ତି । ପୂର୍ବରୁ ମଧ୍ୟ ଦୁର୍ଘଟଣାକୁ ରୋକିବା ପାଇଁ ଭବାନୀପାଟଣା ସହର ମଧ୍ୟକୁ ଦିନବେଳେ ଭାରି ଯାନ ଚଳାଚଳ ଉପରେ ରୋକ୍‌ ଲଗାଯାଇଥିଲା । ତଥାପି ଦୁର୍ଘଟଣା ଘଟିଚାଲିଛି । ତେଣୁ ଜନସାଧାରଣଙ୍କ ବହୁମୂଲ୍ୟଜୀବନ ରକ୍ଷା କରିବା ପାଇଁ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ଆଜିଠାରୁ ହେଲ୍‌ମେଟ୍‌ ବ୍ୟବହାର କରିନଥିବା ବାଇକ୍‌ ଚାଳକ ମାନଙ୍କୁ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ନଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗାଣ ବିଭାଗକୁ ପେଟ୍ରୋଲ ପମ୍ପ ଉପରେ ନଜର ରଖିବାକୁ ଏବଂ ପୋଲିସ ଓ ପରିବହନ ବିଭାଗକୁ ହେଲ୍‌ମେଟ୍‌ ଚେକିଂ ଉପରେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି । ପେଟ୍ରୋଲ ପମ୍ପ ମାନଙ୍କରେ ପୋଲିସ ମୁତୟନ କରାଗଲେ ଏହି ନିୟମ ପାଳନ ହୋଇପାରିବ ବୋଲି ସଚେତନ ନାଗରିକ ମାନେ ମତବ୍ୟକ୍ତ କରିଛନ୍ତି । ହେଲ୍‌ମେଟ୍‌ ନାହିଁ ତ ପେଟ୍ରୋଲ ନାହିଁ ନିୟମକୁ ବାଇକ୍‌ ଚାଳକ ମାନେ କେତେଦୂର ଗ୍ରହଣ କରୁଛନ୍ତି ତାହା ସମୟ କହିବ ।

Leave A Reply

Your email address will not be published.