ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ପେରୁଆମାଲ ଗ୍ରାମବାସୀ : ପ୍ରଶାସନ ଶୁଣିଲାନି, ଗାଁକୁ ରାସ୍ତା ତିଆରି କଲେ ଗ୍ରାମର ସ୍ଵେଚ୍ଛାସେବୀ ଯୁବ ଗୋଷ୍ଠୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଂଚାୟତର ଜଙ୍ଗଲ ଭିତରେ ଥିବା ପେରୁଆମାଲ ଅଣରାଜସ୍ଵ ଗ୍ରାମ ସ୍ଵାଧୀନତାର ଦୀର୍ଘ ବର୍ଷ ପରେ ବି ସାମାନ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି । ଏହି ଗ୍ରାମରେ ଦୀର୍ଘ ୮୦ବର୍ଷରୁ ଉର୍ଦ୍ଧ ସମୟ ଧରି ବସବାସ କରିଆସୁଥିବା ୨୨ଟି ଆଦିବାସୀ ପରିବାର ପାଇଁ ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ଭଳି ମଣିଷର ଜରୁରୀ ଆବଶ୍ୟକତା ଢେର ଦୂରରେ ସାତସପନ ପାଲଟିଥିବା ଜଣାପଡିଛି । ଏହି ବିଷୟରେ ଗ୍ରାମବାସୀମାନେ ପୂର୍ବରୁ ବହୁଥର ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବା ସହ ଗ୍ରାମର ପଲ୍ଲୀସଭାରେ ପ୍ରସ୍ତାବ ଆଗତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ଗୁରୁବାର ଦିନ ଗ୍ରାମର ସମସ୍ତ ପରିବାରର ମା ଭଉଣୀ ଓ ଭଦ୍ରବ୍ୟକ୍ତିମାନେ ଗ୍ରାମରେ ଏକ ଜରୁରୀ ବୈଠକ କରିଥିଲେ । ଗ୍ରାମ୍ୟ ସଭାପତି କେଶବ ଧରୁଆଙ୍କ ସଭାପତିତ୍ତତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗ୍ରାମବାସୀ ସମସ୍ତ ପ୍ରକାର ସୁବିଧା ସୁଯୋଗରୁ ବଂଚିତ ରହିଥିବା ନେଇ ବିଶେଷ ଭାବରେ ଆଲୋଚନା କରିଥିଲେ । ଗାଁକୁ ଏକ ସବୁଦିନିଆ ରାସ୍ତା ନ ଥିବାରୁ ଛୋଟ ସ୍ୱାସ୍ଥ୍ୟ ସମସ୍ୟାଟିଏ ହେଲେ ଗ୍ରାମବାସୀ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ରହୁଥିବା ନେଇ ଆଲୋଚନା କରିଥିଲେ । ଗାଁର ସମସ୍ତଙ୍କ ନିଷ୍ପତ୍ତି ଅନୁସାରେ ଆଜି ଶୁକ୍ରବାର ଗ୍ରାମବାସୀ ଓ ଯୁବ ଗୋଷ୍ଠୀ ପକ୍ଷରୁ ପେରୁଆମାଲ ଗ୍ରାମରୁ ଘୁଷୁରାମୁଣ୍ଡା ଗ୍ରାମ ଛକ ପର୍ଯ୍ୟନ୍ତ ରାସ୍ତା ତିଆରି କରିଥିଲେ । ଯେଉଁ ରାସ୍ତାରେ ଏକ ଚାରିଚକିଆ ଯାନବାହନ ଚଳାଚଳ କରିପାରିବ । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ବାଧ୍ୟ ହୋଇ ନିଜେ ଗ୍ରାମବାସୀ ଓ ଯୁବଗୋଷ୍ଠୀ ନିଜ ରାସ୍ତା ନିଜେ ତିଆରି କରିଥିବା ଜଣାପଡିଛି । ଏହି ରାସ୍ତା ତିଆରିରେ ଗ୍ରାମ୍ୟ ମୁଖ୍ୟ କେଶବ ଧରୁଆଙ୍କ ସହ ପଦ୍ମନାଥ ଧରୁଆ, ବିଜୟ ଧରୁଆ, ବୁଦ୍ଧଦେବ ବାଗ, କୃତୀ ଧରୁଆ, ଦିବାକର ଧରୁଆ, ପର୍ଶୁ ଧରୁଆ, ରାଜୀନ ଧରୁଆ, ଟିଙ୍କୁ ଧରୁଆ, ଲଇଚନ ଧରୁଆ, କୁଞ୍ଜ ଧରୁଆ, ସଙ୍ଗୀତା ଧରୁଆ, ହାରାବତୀ ଧରୁଆ, ଲକ୍ଷ୍ମୀ ଧରୁଆ, ସମବାରି ଧରୁଆ, ଚଞ୍ଚଳା ଧରୁଆ ପ୍ରମୁଖ ସହଯୋଗ କରିଥିଲେ । ଜଙ୍ଗଲ ଭିତରେ ଥିବା ଏହି ଗ୍ରାମର ବିଭିନ୍ନ ସମସ୍ୟାକୁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ଗ୍ରାମବାସୀ ପୁଣି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.