୩୪ତମ ପତ୍ରପତ୍ରିକା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ କଲଚରାଲ ଏକାଡେମୀ ତରଫରୁ କର୍ମବୀର ଗୌରୀଶଙ୍କର ଜୟନ୍ତୀ ଉପଲକ୍ଷେ ୩୪ତମ ପତ୍ରପତ୍ରିକା ଦିବସ ଓ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ରଜନୀକାନ୍ତ ଦାସଙ୍କ ସ୍ମୃତି ଦିବସ ପାଳନ କରାଯାଇଥିଲା । ଏକାଡେମୀର ସଭାପତି ପଶୁପତିନାଥ ଚାଟାର୍ଜୀଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ କାଶୀନାଥ ପାତ୍ରଙ୍କ ଆବାହକତ୍ଵ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଡ. ମାନସ ବେହେରା ଯୋଗଦେଇ ଆଲୋଚ୍ୟ ବିଷୟ ଭୂ-ରାଜନୀତିର ଗୋଲକଧନ୍ଦାରେ ଗଣମାଧ୍ୟମ ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ । ଡ. ବେହେରା ତାଙ୍କ ବକ୍ତବ୍ୟରେ କହିଲେ ଯେ ସମ୍ପ୍ରତି ପୁଞ୍ଜିବାଦଙ୍କ କବଳରେ ମିଡିଆ ରହିଥିବା ବେଳେ ବିଶ୍ଳେଷଣ କରିବା ପ୍ରକ୍ରିୟାକୁ ଗଣମାଧ୍ୟମ ହତ୍ୟା କରୁଛି । ଗଣମାଧ୍ୟମର ଚରିତ୍ରରେ ଅନେକ ପରିବର୍ତ୍ତନ ହୋଇଛି । ଏହାସହ ମିଡିଆର ଭୂମିକା, ନୂଆ ଗଣମାଧ୍ୟମର ନୂଆ ଭୂମିକା, ଖବରର ପ୍ରକାଶନର ପୂର୍ବ ପ୍ରସ୍ତୁତି, ସାହିତ୍ୟରେ ମଧ୍ୟ ଏଭଳି ବ୍ୟବସ୍ଥା ଦେଖିବାକୁ ମିଳୁଛି ତଥା ଗଣମାଧ୍ୟମର ଗଣତ୍ରିକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଭାବେ ଆର୍‌ଏସ୍‌ପିର ମୁଖ୍ୟ ମହାପରିଚାଳକ ବିଜୟ କୁମାର ଯୋଯୋ ଯୋଗଦେଇ କର୍ମବୀର ଗୌରୀଶଙ୍କରଙ୍କ ସମାଜ ଓ ସମ୍ବାଦ ପ୍ରତି ପ୍ରତିବଦ୍ଧତା ତଥା ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଓ ସଂସ୍କାରିତ ବ୍ୟକ୍ତି ଥିଲେ ବୋଲି ଅବହିତ କରିବା ସହ ସତ୍ୟ, ଉତ୍ତରଦାୟିତ୍ୱ, ପ୍ରତିବଦ୍ଧତାକୁ ସାମ୍ବାଦିକମାନେ ଆଗକୁ ନେବାପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ନବପତ୍ରର ସମ୍ପାଦକ ଡ. ପ୍ରଭାତ କୁମାର ମଲ୍ଲିକ ଏକାଡେମୀର ଆଭିମୁଖ୍ୟ ଓ ଆଲୋଚ୍ୟ ବିଷୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ସାହିତ୍ୟ ସମ୍ପାଦକ ନଗେନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏକାଡେମୀର ବହୁ ସଦସ୍ୟଙ୍କ ସହ ବହୁ ସଂଖ୍ୟାରେ ସାହିତ୍ୟିକ, କବି, ସାମାଜିକ କର୍ମୀମାନେ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.