ls

କନ୍ଦାଜୁରିରେ ଆନ୍ତଃଜିଲ୍ଲା ପଥର ମାଫିଆଙ୍କ ରାଜୁତି

sb

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚାଲିଛି ପଥର ମାଫିଆଙ୍କ ରାଜୁତି । ପ୍ରଶାସନିକ ନୀତିନିୟମ ଓ ସମସ୍ତ କଟକଣାକୁ ଫୁ’ କରି ବେଆଇନ ଭାବେ ଆନ୍ତଃଜିଲ୍ଲା ମାଫିଆ ମାନେ ପଥର ଉତ୍ତୋଳନ କରି ବାହାରକୁ ଚାଲାଣ କରୁଛନ୍ତି । ଲୋଇସିଂହା ତହସିଲ ଅନ୍ତର୍ଗତ କନ୍ଦାଜୁରି ରାଜସ୍ୱ ଗ୍ରାମରୁ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । କନ୍ଦାଜୁରି ଗ୍ରାମ ଗଣ୍ଡେଇବେର୍ଣ୍ଣା ଡୁଙ୍ଗୁରି ଠାରୁ ପଥର ମାଫିଆ ମାନେ ଟ୍ରକ୍ ଓ ଟ୍ରାକ୍ଟର ଯୋଗେ ପ୍ରତିଦିନ ଶତାଧିକ ଟ୍ରିପ ପଥର ବାହାରକୁ ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି । ନିକଟସ୍ଥ ପଣ୍ଡରାଣୀ ରାଜସ୍ୱ ଗ୍ରାମରେ ସୀମିତ ଏରିଆ ସକାଶେ ପଥର ଉତ୍ତୋଲନ ପାଇଁ ଲିଜଧାରୀ ଅନୁମତି ପାଇଥିବା ବେଳେ ବେଆଇନ ଭାବେ କନ୍ଦାଜୁରି ରାଜସ୍ୱ ଗ୍ରାମରୁ ପଥର ଉତ୍ତୋଳନ କରାଯାଉଛି । ଫଳରେ ନିକଟରେ ଚାଷଜମି ଥିବା କନ୍ଦାଜୁରି ଗ୍ରାମର ଚାଷୀ ତଥା ପୂର୍ବତନ ସରପଂଚ ଅଶୋକ ବେହେରା କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ବେଆଇନ ଭାବେ ଗର୍ତ୍ତ କରି ବ୍ଲାଷ୍ଟିଂ କରାଯିବା ଫଳରେ ନିକଟସ୍ଥ ଚାଷଜମିରେ ପଥର ପଡ଼ି ଚାଷଜମି ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି । ଏହି ପଥର କ୍ୱାରୀରୁ ପ୍ରତିଦିନ ଉତ୍ତୋଳନ ହେଉଥିବା ଶତାଧିକ ଟ୍ରିପ୍ ପଥର କୁଆଡେ ଯାଉଛି, ସେ ବାବଦରେ ସ୍ଥାନୀୟ ପ୍ରଶାସନ ଅଥବା ଖଣି ବିଭାଗ ନିକଟରେ କୌଣସି ଉତ୍ତର ନାହିଁ । ବଲାଙ୍ଗିର ଜିଲ୍ଲାପାଳ ଏଥିପ୍ରତି ସ୍ଵତନ୍ତ୍ର ଭାବେ ଦୃଷ୍ଟି ଦେଇ ବେଆଇନ ପଥର ଉତ୍ତୋଳନ ଉପରେ ରୋକ ଲଗାଯିବା ଦିଗରେ ପଦକ୍ଷେପ ନେବା ସକାଶେ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

pc pk
Leave A Reply

Your email address will not be published.