ତୁରୁକଭଟା ଘିସରି ପାହାଡ ପଥର କ୍ୱରୀକୁ ନେଇ ଜନ ଅସନ୍ତୋଷ : ଉପଜିଲ୍ଲାପାଳ ସିନ୍ଧେକେଲା ପଥର କ୍ବାରୀ ଚଢାଉ କଲେ ହେଲେ ତୁରୁକଭଟା ଗଲେନି
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ତହସିଲ ତଥା ସିନ୍ଧେକେଲା ଥାନା ଅଞ୍ଚଳରେ ପଡୁଥିବା ଭବାନୀପାଟଣା- ରାଇପୁର ୧୬ ନମ୍ବର ରାଜ୍ୟ ରାଜପଥରେ ପଡୁଥିବା ଚାନ୍ଦୋତରା – ତୁରୁକଭଟା ମଧ୍ୟରେ ଥିବା ଘିସରି ପାହାଡରେ ବେଆଇନ ପଥର ଖନନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି । ରାଜସ୍ୱ ନିରୀକ୍ଷକଙ୍କଠାରୁ ଆରମ୍ଭ କରି ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ ବି ଦିଆସରିଛି । ତଥାପି କାର୍ଯ୍ୟାନୁଷ୍ଠାନ ଶୁନ ହେବାରୁ ଗ୍ରାମବାସୀ ପଥର ଖନନକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ସିନ୍ଧେକେଲା ଥାନାରେ । ଏହାକୁ ନେଇ ସିନ୍ଧେକେଲା ପୋଲିସ ଦୁଇ ପକ୍ଷକୁ ଥାନାକୁ ଡାକି ସବୁ ଶୁଣିବା ପରେ ପଥର ଖନନ ବନ୍ଦ କରିବାକୁ ତାଗିଦ କରିଥିଲା । ପଥର ଖନନକାରୀ ପ୍ରତିଶୃତି ଦେବାରୁ ଘଟଣାର ସମାଧାନ ହୋଇଥିବା ଆଇଆଇସି ବି.ରୁଦ୍ରିଆଙ୍କ ଠାରୁ ସୁଚନା ମିଳିଛି । ତେବେ ଆଗରୁ ବ୍ଳାଷ୍ଟିଙ୍ଗ କରି ଫଟାଇ ରଖିଥିବା ପଥରକୁ ଏବେବି ଟ୍ରାକ୍ଟର ଲଗାଇ ଚାଳାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ସିନ୍ଧେକେଲା ଥାନା ଅଞ୍ଚଳରେ ଉଭୟ ବଙ୍ଗୋମୁଣ୍ଡା ଓ ଟିଟିଲାଗଡ ତହସିଲର ବହୁତ ଗୁଡିଏ ପାହାଡ ଓ ବିସ୍ତୀର୍ଣ୍ଣ ଉନ୍ଦେର ନଦୀ ରହିଛି । ଏହି ଅଞ୍ଚଳ ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ଥିବାରୁ ଏବେ ପଥର ଓ ବାଲି ମାଫିଆଙ୍କ ରାଜ ଚାଳିଛି ଏ ଅଞ୍ଚଳରେ । ଦିନ ଦାହାଡେ ଲୁଟ ଚାଲିଛି ପଥର ଖାଦାନ ମାନଙ୍କରୁ ପଥର ଓ ବାଲିଘାଟ ମାନଙ୍କରୁ ବାଲି । ସରକାର ଏହାକୁ ରୋକିବା ପାଇଁ ଟେଣ୍ଡର ଆହ୍ବାନ କରି ବିଭିନ୍ନ ପଥର ଖାଦାନ ଓ ନଦୀର ବାଲିଘାଟରୁ ବେଶ ରାଜସ୍ବ ବି ପାଉଛନ୍ତି । କିଏ କେତେ ଏରିଆ ଲିଜ ପାଇଛି କେତେ ଖନନ କରୁଛି, ଯେଉଁ ସ୍ଥାନ ଲିଜରେ ପାଇଛି ସେହି ସ୍ଥାନରେ ଖନନ କରୁଛି ନା ଅନ୍ୟ ସ୍ଥାନରେ, ଖନନ ପରେ ପଥର ହେଉ କିମ୍ବା ବାଲି । ଟ୍ରାକ୍ଟର, ଟ୍ରକ କିମ୍ବା ହାଇୱାରେ ବୋଝେଇ ହେବା ମାତ୍ରେ ଆର୍ ଫର୍ମ ଗାଡି ଚାଳକ ନେଉଛି ନା ଚୋରାଚାଲାଣ ହେଉଛି ତାହାର ତଦାରଖ କରିବା ପାଇଁ ରାଜସ୍ବ ଅଧିକାରୀ ମାନେ ମଧ୍ୟ ନିଯୁକ୍ତ ହୋଇଛନ୍ତି ହେଲେ କିଛି ଅସାଧୁ ଅଧିକାରୀଙ୍କ ଚୋରା ପୀରତି ଯୋଗୁଁ ବାଲି ଓ ପଥର ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି ଓ ସରକାରଙ୍କ ରାଜସ୍ବ ହାନି ହେଉଛି । କିଛି ସ୍ଥାନରେ ଲିଜ ପାଇଥିବା ସ୍ଥାନକୁ ଛାଡି ଅନ୍ୟସ୍ଥାନରେ ଖନନ ହେଉଥିବା ଅଭିଯୋଗ ହୋଇ ଆସୁଛି । ହେଲେ ଅଧିକାରୀମାନେ ସବୁ ଜାଣି ଅଜଣା ହେଉଥିବାରୁ ସରକାର ରାଜସ୍ବ ହରାଉଥିବା ବେଳେ ଅଧିକାରୀ ମାଳାମାଳ । ତେବେ ଘିସରି ପାହାଡ ଟିଟିଲାଗଡ ତହସିଲ ଅଧିନରେ ଆସୁଥିବାରୁ ତହସିଲଦାର ପ୍ରେମଲାଲ ହିଆଳଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ କୌଣସି କାରଣରୁ ସେ ଫୋନ ରିସିଭ କରିନଥିଲେ । ପରେ ଦିଗଶିରା ଆରଆଇ ନିରଞ୍ଜନ ସାହୁଙ୍କୁ ଏ ବିଷୟରେ ପଚାରିବାରୁ ଘିସରି ପାହାଡ ଲିଜ ହୋଇନଥିବା କହିଥିଲେ ପରେ ସେହି ପାହାଡର କୋତମରା ୧ ଓ ୨ ନମ୍ବର ଦୁଇ ଜଣ ଲିଜଧାରୀଙ୍କୁ ଟେଣ୍ଡର ମିଳିଥିବା କହିଥିଲେ । ତେବେ କିଛିଦିନ ତଳେ ଉକ୍ତ ପାହାଡରେ ଗୋଟିଏ ପଥର ଗାଡିକୁ ଜବତ କରି ଥାନାକୁ ଆଣିବା ପାଇଁ ଚେଷ୍ଟା କରିଥିଲେ ହେଁ ଗାଡି ଷ୍ଟାର୍ଟ ନ ହେବାରୁ ଫାଇନ କରିଥିବା ଆରଆଇ ଶ୍ରୀ ସାହୁଙ୍କ ଠାରୁ ସୂଚନା ମିଳିଛି ।
ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏସ୍ଡିପିଓ, ତହସିଲଦାର ଟିଟିଲାଗଡ, ସିନ୍ଧେକେଲା ଆଇଆଇସି, ବିଭିନ୍ନ ସାର୍କିଲର ଆର୍ଆଇ ଏବଂ ପୋଲିସ ଫୋର୍ସ ବୁଧବାର ସିନ୍ଧେକେଲାର ବିଭିନ୍ନ ପଥର ଖାଦାନ, ବାଲିଘାଟ ଓ ଇଟାଭାଟିକୁ ଚଢାଉ କରିଥିଲେ । ବୁଧବାର ସିନ୍ଧେକେଲାର ସାପ୍ତାହିକ ବଜାର ଥିବା ଯୋଗୁଁ କାମ କରୁଥିବା ଶ୍ରମିକମାନେ ଛୁଟି କରିଥିବାରୁ କିଛି ହାତକୁ ଲାଗି ନ ଥିବା ବେଳେ ଶେଷରେ ବଲାଙ୍ଗିରରୁ ମାଇନିଙ୍ଗ ଅଫିସରଙ୍କୁ ଡକାଯାଇଥିଲା । ମାଇନିଙ୍ଗ ଅଫିସରୁ ଏସିଷ୍ଟାଣ୍ଟ ମାଇନିଙ୍ଗ ଅଫିସର ଅନ୍ତର୍ଯ୍ୟାମୀ ସାହୁ ପହଞ୍ଚିବା ପରେ ମାପଚୁପ କରି ଫେରି ଯାଇଥିବା ଜଣାପଡିଛି । ଚାରୋଟି ହଳଦିଆ ବତୀ ଲାଗିଥିବା ଗାଡି ସିନ୍ଧେକେଲା ଅଞ୍ଚଳରେ ଏତେ ହଟ୍ଚମଟ କଲା ଯେ, ମାଫିଆମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ଏବଂ ଗୋଟିଏ ସ୍ଥାନକୁ ଚଢାଉ ଟିମ୍ ପହଞ୍ଚିବା ପରେ ପୁଣି କାହାର ପାଳି ପଡିବ ବୋଲି ଛକ ମାନଙ୍କରେ ଚର୍ଚ୍ଚା ଯୋର ଧରିଥିଲା । ସ୍ଥିତି ଏମିତି ହେଲା ଯେ ବାଲି, ପଥର ଓ ଇଟା ବ୍ୟାପାରୀ ସ୍ଥାନ ଛାଡି ଫେରାର ହୋଇ ଯାଇଥିଲେ । ପରିବେଶ ପ୍ରେମୀ ଓ ସଚେତନ ନାଗରିକମାନଙ୍କ ମଧ୍ୟରେ ପ୍ରଶାସନିକ ଚଢ଼ାଉ ଓ ଉପଜିଲ୍ଲାପାଳଙ୍କ ନେତୃତ୍ବକୁ ଢେର ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା । ହେଲେ ସିନ୍ଧେକେଲାଠାରୁ ମାତ୍ର ୫ କିଲୋମିଟର ମଧ୍ୟରେ ଥିବା ଟିଟିଲାଗଡ ତହସିଲ ଅନ୍ତର୍ଗତ ତୁରୁକଭଟା ଘିସରି ପାହାଡର ପଥର କ୍ବାରୀକୁ ନେଇ ଗ୍ରାମବାସୀ ଆରଆଇଙ୍କ ଠାରୁ ଆରମ୍ଭ କରି ତହସିଲଦାର, ଉପଜିଲ୍ଲାପାଳଙ୍କ ଅଫିସକୁ ଯାଇ ଓ ଜିଲ୍ଲାପାଳଙ୍କୁ ସ୍ପିଡ ପୋଷ୍ଟ ଦ୍ବାରା ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମ ବି ଆବାଜ ଉଠାଇଛନ୍ତି । ତେବେ ମଧ୍ୟ ଉପଜିଲ୍ଲାପାଳ ତୁରୁକଭଟା ଘିସରି ପାହାଡକୁ ନ ଯିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।