jayashree

ସମାଜସେବୀଙ୍କ ହସ୍ତକ୍ଷେପ ପରେ ପୁଣି ପାଠ ପଢିବେ ଦୁଇ ଅସହାୟ ଭାଇ ଭଉଣୀ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କେନ୍ଦୁପାଟି ପଞ୍ଚାୟତ ବ୍ରାହ୍ମଣୀଗୁଡା ଗାଁରେ ରହୁଛନ୍ତି ତିନୋଟି ଅନାଥ ଅସହାୟ ଛୁଆ । ପିତା ମାତାଙ୍କ ଦେହାନ୍ତ ପରେ ସେମାନେ ବହୁତ ଅସୁବିଧାରେ ରହୁଥିଲେ । ରହିବା ପାଇଁ ଭଲ ଘର ଖଣ୍ଡେ ନଥିବା ବେଳେ ନିଜର ବୋଲି ଘରଡିହ ଖଣ୍ଡେ ମଧ୍ୟ ନାହିଁ । ପଞ୍ଚାୟତରୁ ଯାହା ରାସନ ମିଳେ ସେଥିରେ ସେମାନେ କଷ୍ଟେ ମଷ୍ଟେ ଚଳି ଯାଆନ୍ତି । ବଡ ଭାଇ ପର ଘରେ ମୂଳ ଲାଗି ଯାହା ପାଇଲେ ସେଥିରେ ଦୁଇ ଭାଇ ଭଉଣୀଙ୍କୁ ଭରଣ ପୋଷଣ କରନ୍ତି । କିଛିଦିନ ତଳେ ଏହି ସମସ୍ୟା ବିଷୟରେ ସେଠାକାର କିଛି ଯୁବକ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଫୋନ ଯୋଗେ ଜଣାଇଥିଲେ । ଏହି ସମସ୍ୟା ବିଷୟରେ ଜାଣିଲା ପରେ ସମାଜସେବୀ ଶ୍ରୀ ରଣା ସେମାନଙ୍କ ପାଖକୁ ଯାଇ ସମସ୍ତ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଓ ତାଙ୍କୁ ସମସ୍ତ ସରକାରୀ ସହାୟତା ପାଇବାରେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପରେ ଏହି ସମସ୍ୟାକୁ କଳାହାଣ୍ଡି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ଜଣାଇ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇବା ପରେ ଡିସିପିଓଙ୍କ ନିର୍ଦେଶରେ ସିଡବ୍ଲୁସି ସଦସ୍ୟ ଗୁଲାମ ଆଜାଦ ଖାନ ଏହାର ତଦନ୍ତ କରିବା ପାଇଁ ଗତକାଲି ବ୍ରାହ୍ମଣୀଗୁଡା ପହଂଚିଥିଲେ । ଶ୍ରୀ ଖାନଙ୍କ ସହ ସମଜସେବୀ ଯଶୋବନ୍ତ ରଣା ଓ ଏନ୍‌ଓ୍‌ୱାଇକେ ସ୍ବେଛାସେବୀ ମମତା ପ୍ରଧାନ ରହି ସମସ୍ତ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିଥିଲେ । ଏଥିରେ ଗାଁ ୱାର୍ଡ ମେମ୍ବର ଓ ସାହି ପଡିସା ଲୋକେ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ । ବଡପୁଅ ଧନୁର୍ଜୟ ମାଝୀ ଏବେ ବାଙ୍ଗାଲୋରର ଏକ କମ୍ପାନୀରେ ରହି କାମକରି ଭାଇ ଭଉଣୀଙ୍କ ଭରଣ ପୋଷଣ କରୁଛନ୍ତି ବୋଲି ତାଙ୍କର ଜେଜେମା ଓ ପଡିସା ଲୋକେ କହିଥିଲେ । ସେହିପରି ଦ୍ୱିତୀୟ ପୁଅ ତିଳ ମାଝୀ ଆର୍ଥିକ ଅସୁବିଧା ହେତୁ ଅଷ୍ଟମରୁ ପାଠ ଛାଡି ଦେଇଛନ୍ତି । ଯଦି ସରକାରୀ ସହାୟତା ଦେଲେ ମୁଁ ଆଗକୁ ପଢ଼ିବି କହିଥିଲେ । ତାଙ୍କର ଆଗ୍ରହକୁ ଦେଖି ସ୍ଥାନୀୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଇ ଦେବାକୁ ଯଶୋବନ୍ତ ରଣା ପ୍ରତିଶୃତି ଦେଇଛନ୍ତି । ସେ ପଢିଲେ ତାଙ୍କୁ ବାର୍ଷିକ ୨୪ହଜାରର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ଖାନ କହିଛନ୍ତି । ସେହିପରି ତୃତୀୟ ଝିଅ ରୋହିଣୀ ମାଝୀ ମଧ୍ୟ ପାରିବାରିକ ଅସୁବିଧା ହେତୁ ଅଧାରେ ପାଠ ଛାଡିଥିଲେ । ତାଙ୍କୁ ମଧ୍ୟ କୌଣସି ଏକ ଆଶ୍ରମ ସ୍କୁଲରେ ରଖି ପଢାଇବାକୁ ନିଷ୍ପତ୍ତି ନିଆଗଲା । ଦୁଇ ଭାଇ ଭଉଣୀଙ୍କୁ ପଢ଼ିବାର ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଥିବାରୁ ଦୁଇ ଭଉଣୀ ବହୁତ ଖୁସି ହୋଇଥିଲେ । ସମାଜସେବୀ ଯଶୋବନ୍ତ ରଣା, ମମତା ପ୍ରଧାନ ସିଡବ୍ଲୁସି ସଦସ୍ୟ ଶ୍ରୀ ଖାନଙ୍କ ଏହିପରି ଉଦ୍ୟମକୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.