jayashree

ପାଟଣା ପ୍ରଜାମେଳିର ୮୪ବର୍ଷ ପୂର୍ତ୍ତି ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚୁଡାପାଲି ହାଇସ୍କୁଲ ପଡିଆରେ ପାଟଣା ପ୍ରଜାମେଳି ଆନ୍ଦୋଳନର ୮୪ ବର୍ଷ ପୂର୍ତ୍ତି ଉତ୍ସବ ଆଜି ପାଳନ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ପକ୍ଷରୁ ସଭାପତି ଲୋକନାଥ କୁମୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଐତିହାସିକ ତଥା ଶିକ୍ଷାବିତ୍ ଡ. ଶିବପ୍ରସାଦ ନନ୍ଦ, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ନାଗରିକ କମିଟି ସଭାପତି ଇଂ ବେଲାର ସିଂଭୋଇ, ରୋଟାରୀ ଇଲିଟ୍‌ର ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ଚୁଡାପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ କୋଶଳେଶ୍ୱର ମିଶ୍ର, ସ୍ୱର୍ଗତ କୁମୁରାଙ୍କ ବୋହୂ ମାଧବୀ କୁମୁରା ଓ ମୁଖ୍ୟବକ୍ତା ଭାବେ ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର ମଞ୍ଚାସୀନ ଥିଲେ । “ବଲାଙ୍ଗିରରେ ସ୍ୱାଧୀନତା ସଂଗ୍ରାମର ପଦଧ୍ୱନି” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଡ. ନନ୍ଦ ୨୯ ସେପ୍ଟେମ୍ବର ୧୯୩୮ ମସିହାରେ ବଲାଙ୍ଗିରର ଐତିହାସିକ ଆନ୍ଦୋଳନ ସମ୍ପର୍କରେ ଆଲୋକପାତ କରିଥିଲେ । ଚୁଡାପାଲିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା, ଚାଣ୍ଟିମୁଣ୍ଡାର ପୁରୁଷୋତ୍ତମ ନାଥ, ଖୁଣ୍ଟପାଲିର ଚିନ୍ତାମଣି ମିଶ୍ରଙ୍କ ନେତୃତ୍ୱରେ ସେଦିନ ବିଶାଳ ଚାଷୀ-ପ୍ରଜାମେଳି କିଭଳି ଚୁଡାପାଲିରୁ ବଲାଙ୍ଗିର ଆସି ରାଜପ୍ରାସାଦ ଘେରାଓ କରିଥିଲେ ବର୍ଣ୍ଣନା କରିଥିଲେ । ଏହି ଆନ୍ଦୋଳନରେ ବଲାଙ୍ଗିରର ସ୍ୱାଧୀନତା ସଂଗ୍ରାମୀ କପିଳେଶ୍ୱର ପ୍ରସାଦ ନନ୍ଦ, ସତ୍ୟାନନ୍ଦ ମିଶ୍ର, ଯୁଧିଷ୍ଠିର ମିଶ୍ର, ସ୍ୱପ୍ନାନନ୍ଦ ପାଣିଗ୍ରାହୀ, ଚିନ୍ତାମଣି ରଥ, କେଉଁଟି ପାଲିର କପୁର୍ଚ୍ଚନ ନାଏକ, ସଇଁତଲାର ଦିବାକର ବହିଦାର ଓ ଅନ୍ୟମାନେ କିଭଳି ସକ୍ରିୟ ଅଂଶଗ୍ରହଣ କରିଥିଲେ ସୂଚନା ଦେଇଥିଲେ । ଏହି ସ୍ମରଣୀୟ ଦିନ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ପକାଇବାକୁ ଚୁଡାପାଲିଠାରେ ଏହି ଉତ୍ସବ ପାଳନ କରାଯାଉଛି । ଅନ୍ୟ ଅତିଥିମାନେ ବଲାଙ୍ଗିରରେ ସ୍ୱାଧୀନତା ସଂଗ୍ରାମ ଉପରେ ବକ୍ତବ୍ୟ ରଖିଥିଲେ । ସଭାକୁ ସମ୍ପାଦକ ଶରତ ନନ୍ଦ ସଂଯୋଜନା କରିଥିଲେ । ସଭା ପ୍ରାରମ୍ଭରେ ସଙ୍ଗଠକ ଜୟକୃଷ୍ଣ ମିଶ୍ର ସ୍ୱାଗତ ବକ୍ତବ୍ୟ ରଖିଥିଲେ । ହାଇସ୍କୁଲ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଏବଂ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ । ସଭାରେ ସଂସ୍କୃତ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ପଣ୍ଡା କବିତା ପାଠ କରି ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭା ଶେଷରେ ସୁବାସ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ହିଣ୍ଡାଲକୋ ମାନବ ସମ୍ବଳ ଅଧିକାରୀ ବିଜୟ କୁମୁରା, ରାଜନେତା ଘାସିରାମ ବେହେରା, କ୍ରାନ୍ତି-ଜାଗୃତି କମିଟିର ସୁରୁଲାଲ ମଟାରୀ, ଶୁଭ୍ରାଂଶୁ ଶେଖର ପଣ୍ଡା, ଡା. ତରୁଣ କୁମାର ଭୋଇ, କଲେଜ ଅଧ୍ୟକ୍ଷା ସୁଜାତା ମିଶ୍ର, ସୁଶୀଳ ବେହେରା, ଲମ୍ବୋଦର ପଟେଲ, ବିରଞ୍ଚି କୁମୁରା, ବିଜୟ ନାହାକ, କରୁଣାକର ମାଝି, ଭାରତୀ ମାଝି, ଆଦ୍ୟାଶା ମାଝି, ରାମକିଶନ ଅଗ୍ରୱାଲ, ଅକ୍ଷୟ ଘିବେଲା, ଗିରିଧାରୀ ପୁଟା, ପବିତ୍ର ବାରିକ, ପଙ୍କଜ ମାଲ, କୀର୍ତ୍ତନ ସାହୁ, ଜିତେନ୍ଦ୍ର ମାଲ, ଗୋପାଳ ପଟେଲ, ହାଇସ୍କୁଲ୍, ପ୍ରାଥମିକ ବିଦ୍ୟାଳୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀଛାତ୍ର, ଶିକ୍ଷକ ଏବଂ ଷ୍ଟାପ୍ ଯୋଗଦାନ କରିଥିଲେ । ସମସ୍ତ ଅତିଥି ସଭା ପ୍ରାରମ୍ଭରେ ହାଇସ୍କୁଲ ପଡିଆ ସଂଲଗ୍ନ ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Leave A Reply

Your email address will not be published.