୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡ଼ିଆଠାରେ ୭୫ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କୋଭିଡ୍ ସତର୍କତା ଭିତରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ଦେଶ ଓ ରାଜ୍ୟ ସହିତ ସୁବର୍ଣ୍ଣପୁର ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଆଜି ବିକାଶର ଏକ ନୂଆ ଉଚ୍ଚତାରେ ପହଞ୍ଚି ପାରିଛି । ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର ଶାସନ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆଣିପାରିଛି । କୋଭିଡ୍ ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ସଫଳ ମୁକାବିଲା କରି ଓଡ଼ିଶା ଆଜି ଦେଶ ଏବଂ ଦେଶ ବାହାରେ ପ୍ରଶଂସିତ ହୋଇପାରିଛି ବୋଲି କହିଥିଲେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ମନ୍ତ୍ରୀ ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ ଐତିହାସିକ ସୁବର୍ଣ୍ଣପୁର ଜିଲ୍ଲାର ସଂସ୍କୃତି ଓ ପରଂପରା କଥା ମଧ୍ୟ ଉଲ୍ଲେଖ କରି ଏଠାକାର ବୟନକଳାକୁ ପ୍ରଶଂସା କରିବା ସହ ସନ୍ଥକବି ଭୀମଭୋଇଙ୍କ ସାଧନା ଓ ସମାଧିପୀଠ ଯୋଗୁଁ ଏଇ ଜିଲ୍ଲାର ବିଶେଷ ପ୍ରସିଦ୍ଧି ରହିଥିବା ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ପାଇଁ ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୁନ୍ ପରିବେଷଣ କରାଯାଇଥିଲା ତଥା ପ୍ରଶାସନ ପକ୍ଷରୁ ସହରରେ ଅବସ୍ଥିତ ଥିବା ବିଭିନ୍ନ ବରପୂତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । କୋଭିଡ଼ କଟକଣା ଯୋଗୁଁ କେବଳ ଜିଲ୍ଲା ଆରକ୍ଷୀ ବାହିନୀମାନଙ୍କୁ ନେଇ ପ୍ୟାରେଡ଼ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରିଜର୍ଭ ପୋଲିସ ପ୍ୟାରେଡ଼ ପଡିଆ ଠାରେ ଏବଂ ବିଶିମୁଣ୍ଡା ପଞ୍ଚାୟତର ମୋ ସ୍କୁଲ ଅଭିଯାନ ସଂଗଠନ ଅନ୍ତର୍ଗତ ଡୁଙ୍ଗୁରିପାଲି କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ମୁଖ୍ୟଅତିଥି ତଥା ଜିଲ୍ଲାର ବରିଷ୍ଠ ଅଧିକାରୀ ବୃକ୍ଷ ରୋପଣ କରିଥିଲେ । ଦିବସର ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାଆରକ୍ଷୀ ଅଧିକାରୀ ସୀତାରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ, ନିଶି ପୂନମ ମିଞ୍ଜ, ପ୍ରକଳ୍ପ ନିର୍ଦେଶକ ଡ଼ିଆର୍‌ଡ଼ିଏ ଡୋଳାମଣି ପଟେଲ, ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କଁହର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ ସମେତ ନିମନ୍ତ୍ରିତ କୋଭିଡ ଯୋଦ୍ଧା, ବିଭିନ୍ନ ବିଭାଗୀୟ ପଦାଧିକାରୀ ପ୍ରମୁଖଙ୍କ ସହ ଜିଲ୍ଲା ସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.