ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାୱାରରେ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ ପ୍ରଶାସନକୁ କଲେ ନାକେଦମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାୱାରକୁ ଚଢ଼ିଗଲେ ଯୁବକ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ଖମାରମୁଣ୍ଡା ଗାଁରେ । ସୂଚନା ଯୋଗ୍ୟ ଯେ, ଖମାରମୁଣ୍ଡା ଗାଁ ସିଦ୍ଧେଶ୍ୱର ଭୋଇ (୩୨) ନାମକ ଜଣେ ଯୁବକ ଗାଁ ନିକଟରେ ଥିବା ଏକ ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାୱାର ଉପରକୁ ଚଢ଼ି ଯାଇଥିଲେ । ଏହା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ, ଦମକଳ ବାହିନୀ, ଜଙ୍ଗଲ ବିଭାଗ ଓ ପୁଇଁତଲା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ବିଦ୍ୟୁତ୍‌ ଟାୱାରରୁ ଓହ୍ଲାଇବାକୁ କହିଥିଲେ ମଧ୍ୟ ସିଦ୍ଧେଶ୍ୱର ଓହ୍ଲାଉ ନଥିଲେ । ମଝିରେ ମଝିରେ ତାରକୁ ଧରି ଝୁଲି ପଡୁଥିଲେ ସିଦ୍ଧେଶ୍ୱର । ପୋଲିସ, ଅଗ୍ନିଶମ ବାହିନୀ କର୍ମଚାରୀ, ତହସିଲଦାର ଘଟଣା ସ୍ଥଳରେ ରହି ଘଟଣା ଉପରେ ନଜର ରଖିଥିଲେ । ଦୀର୍ଘ ସମୟ ଧରି ସମସ୍ତଙ୍କ ନାକେଦମ କରିଦେଇଥିଲେ ସିଦ୍ଧେଶ୍ୱର । ଦୁଇଜଣ କର୍ମଚାରୀ ଟାୱାର ଉପରକୁ ଯାଇ ସିଦ୍ଧେଶ୍ୱରଙ୍କୁ ବୁଝାସୁଝା କରିବା ପରେ ଦୀର୍ଘ ୬ ଘଣ୍ଟା ପରେ ସେ ତଳକୁ ଓହ୍ଲାଇଥିଲେ । ପରେ ପୋଲିସ ଯୁବକଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.