
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୈତିକ ମୂଲ୍ୟବୋଧ ଭିତିକ ସାମାଜିକ ପ୍ରତିବଦ୍ଧତା କ୍ରମଶଃ ହ୍ରାସ ପାଇ ଆସୁଛି । ସତ୍ୟ, ନିଷ୍ଠା, ତ୍ୟାଗ, ଅହିଂସାକୁ ପାଥେୟ କରି ମହାତ୍ମା ଗାନ୍ଧୀ ଦେଶକୁ ସ୍ୱାଧୀନତା ଆଣିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ସ୍ଥଳେ ଏହି ମାନସିକତା କ୍ରମଶଃ ବିରଳ ହେଉଥିବାରୁ ବକ୍ତାମାନେ ଉଦବେଗ ପ୍ରକାଶ କରିବା ସହ ଏହାର ପୁନଃରୁଦ୍ଧାର ପାଇଁ ବେରବୋଇ ଗାନ୍ଧୀ ସ୍ମାରକୀ ସମିତିର ଉଦ୍ୟମ ପ୍ରଶଂସନୀୟ ବୋଲି ଅଭିମତ ଦେଇଛନ୍ତି । ୧୯୩୮ ମସିହା ମାର୍ଚ୍ଚ ୨୫ ରୁ ୩୧ ତାରିଖ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କ ସମେତ ତତ୍କାଳୀନ ୮୪ ଜଣ ରାଷ୍ଟ୍ରୀୟ ନେତୃବୃନ୍ଦ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବେରବୋଇ ଠାରେ ୭ ଦିନ ଅବସ୍ଥାନ କରି ନାରୀ ସାକ୍ଷରତା ଓ ସଶକ୍ତିକରଣ, ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ, ସୁତା କଟା, ଖଦି ଓ ଗ୍ରାମ ଉଦ୍ୟୋଗ, ପ୍ରସାର, ସ୍ୱାଧୀନତା ଆନ୍ଦୋଳନ ରୂପରେଖ ପ୍ରସ୍ତୁତ କରିଥିଲେ । ଏହି ଐତିହାସିକ ଘଟଣା ପ୍ରବାହର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ବେରବୋଇ ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ପ୍ରତିବର୍ଷ ଏହି ସପ୍ତାହ ର ରବିବାର ରେ ଅନୁଷ୍ଠିତ ହୋଇ ଆସୁଛି ସ୍ମାରକୀ ସମାବେଶ । ସ୍ମାରକୀ ସମିତି ଅଧ୍ୟକ୍ଷା ଶିକ୍ଷାବିତ କୁନ୍ତଳା ବିଶ୍ୱାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି, ବିଶିଷ୍ଟ ଗାନ୍ଧୀ ଦର୍ଶନ ଚିନ୍ତକ, ସ୍ତମ୍ଭକାର, ପ୍ରହ୍ଲାଦ ସିଂହ, ମୁଖ୍ୟବକ୍ତା, ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠି, ବିଶ୍ଵମୁକ୍ତି ପତ୍ରିକାର ସମ୍ପାଦକ ତଥା ଶିକ୍ଷାବିତ ଡ଼ଃ ଶଶାଙ୍କ ଚୂଡ଼ାମଣି, ବିଶିଷ୍ଟ ଗାନ୍ଧୀ ଦର୍ଶନ ଗବେଷକ, ଲେଖକ ଗୌରାଙ୍ଗ ଚରଣ ପରିଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ଆଚାର ଓ ବିଚାରର ବିଷଦ ବ୍ୟାଖ୍ୟା କରିବା ସହ ଏହାର ପ୍ରସାର ପାଇଁ କବି, ଲେଖକ, ପ୍ରାବନ୍ଧିକ, ଓ ଯୁବ ଛାତ୍ର ସମାଜ ଆଗେଇ ଆସିବାକୁ ନିବେଦନ କରିଥିଲେ । ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ ସ୍ମାରକୀ ସମିତିର ଲକ୍ଷ୍ୟ ଓ କାର୍ଯ୍ୟଧାରା ସମ୍ପର୍କିତ ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଡେଲାଙ୍ଗ ସରସ୍ୱତୀ ବିଦ୍ୟା ମନ୍ଦିର ଛାତ୍ରୀମାନେ ଗାନ୍ଧୀଙ୍କ ପ୍ରିୟ ଭଜନ ଆବୃତ୍ତି କରିଥିଲେ ଓ କଣାସ ବ୍ଲକ ସିରେଇ ବିଶ୍ୱନାଥ ପରିଡା ଉଚ୍ଚ ବିଦ୍ୟାଳୟ ସ୍କାଉଟ ଓ ଗାଇଡ଼ ମାନେ ବ୍ୟାଣ୍ଡ ବାଜା ତାଳେ ତାଳେ ଅତିଥିମାନଙ୍କୁ ଫାଟକ ପାଖରୁ ମଞ୍ଚକୁ ପାଛୋଟି ଆଣିଥିଲେ । ପ୍ରାରମ୍ଭରେ ଗାନ୍ଧୀ ସ୍ମୃତି ପୀଠରେ ସଂସ୍ଥାପିତ ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ସୂତ୍ର ଓ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ଓ କସ୍ତୁରବା ଗ୍ରାମ ସେବା କେନ୍ଦ୍ର ସଂଚାଳିକା କବିତାରାଣୀ ପରିଡାଙ୍କ ସଂଯୋଜିତ ସର୍ବ ଧର୍ମ ପ୍ରାର୍ଥନା ସଭାରେ ଅଂଶଗ୍ରହଣ କରିଥିଲେ । ସମାଜସେବି ମହେଶ୍ୱର ବେହେରାଙ୍କ ଲିଖିତ ଗାନ୍ଧୀ ଗପ ପୁସ୍ତକକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ସାମ୍ବାଦିକତା ପାଇଁ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀଙ୍କୁ, ସମାଜସେବୀ କ୍ଷେତ୍ରବାସୀ ପ୍ରଧାନ ଓ କଣାସର ସମାଜ ସେବି ସୁକାନ୍ତ ସାମନ୍ତରାୟ ଙ୍କୁ ଏବଂ ଶିକ୍ଷା ସେବା ପାଇଁ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ପ୍ରଧାନଙ୍କୁ ମାନ ପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀଙ୍କ ତତ୍ୱାବଧାନରେ ସମ୍ପାଦିତ ଓଡ଼ିଶାରେ ଗାନ୍ଧୀ ଫଟୋ ଚିତ୍ର ପ୍ରଦର୍ଶନୀକୁ ବିଶିଷ୍ଟ ଗାନ୍ଧୀ ଦର୍ଶନ ସ୍ତମ୍ଭକାର ପ୍ରହ୍ଲାଦ ସିଂହ ଉଦଘାଟନ କରିଥିଲେ । ଉତ୍କଳ ଖଦି ମଣ୍ଡଳ ପକ୍ଷରୁ ଖଦି ବସ୍ତ୍ର ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ର ଖୋଲାଯାଇ ରିହାତି ମୂଲ୍ୟରେ ଖଦି ବସ୍ତ୍ର ବିକ୍ରୟ କରାଯାଇଥିଲା । ଜିଲ୍ଲା ସଂସ୍କୃତି କାଯøର୍୍ୟାଳୟ ପକ୍ଷରୁ କୃତି କଳାକାରଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ଉତ୍ସବକୁ ଅଧିକ ରୁଦ୍ଧିମନ୍ତ କରିଥିଲା । ଅପରାହ୍ନରେ ଗାନ୍ଧୀ ସ୍ମୃତି ସମ୍ପର୍କିତ କବିତା ଆସର ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼ଃ ହେମନ୍ତ କୁମାର ଛୋଟରାୟ, ଗାନ୍ଧୀ ବାର୍ତା ପ୍ରଚାରକ ଅନାମ ମଲ୍ଲିକ ଓ ସଂସ୍କୃତି ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । କବୟିତ୍ରୀ ସରୋଜିନୀ ଜେନା, ପାର୍ବତୀ ମହାପାତ୍ର, ନିରୁପମା ପାତ୍ର, କବି ରୋହିତ ଚମ୍ପତି, ଆଧ୍ୟାତ୍ମିକ ପ୍ରବଚକ ଶରତ ରାଉତ, କବି ଦା. ପ୍ରଭାସ ଚନ୍ଦ୍ର ପ୍ରଧାନ, ନାରାୟଣ ମନୋହରି, ଶରତ ମହାନ୍ତି, ପ୍ରକୃତି ପ୍ରେମୀ କବି ତଥା ଆଇନ ଜୀବି ହୃଷିକେଶ ପାଢ଼ୀ, ବ୍ୟଙ୍ଗ କବି ଗଣେଶ ପ୍ରସାଦ ଓରଫ ଶ୍ରୀମାନ ଗବା ପ୍ରମୁଖ ସ୍ୱରଚିତ ଗାନ୍ଧୀ କବିତା ଆବୃତ୍ତି କରିଥିଲେ । ସ୍ମାରକୀ ସମିତିର ର୍କ୍ୟାକର୍ତ୍ତାଙ୍କ ସହ ସର୍ବଶ୍ରୀ ଭାଗିରଥି ପରିଡା, ସର୍ବେଶ୍ୱର ବରେଇ, ଅମରେନ୍ଦ୍ର ବାରିକ, ଅନାମ ମଲ୍ଲିକ, ଦ୍ୟୁତିକୃଷ୍ଣ ରାଉତରାୟ, ସନ୍ତୋଷ ବିଶ୍ୱାଳ, ଅଭୟ ସାହୁ, ପରିବେଶ ପ୍ରେମୀ ବିଶ୍ୱଜିତ ପରିଡା ପ୍ରମୁଖ ଉତ୍ସବ ପରିଚାଳନାରେ ସମ୍ପୃକ୍ତି ରଖିଥିଲେ ।