
ଖପ୍ରାଖୋଲ, (କେପିଏନଏସ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ଏହାକୁ ନେଇ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି । ରାଜନୈତିକ ଦଳ ପକ୍ଷରୁ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟା ଚାଲିଥିବାବେଳେ ଜିଲ୍ଲାପରିଷଦ ଭୋଟକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଶାସକ ବିଜେଡି ପାଇଁ ଏହି ବ୍ଲକ ଅନ୍ତର୍ଗତ ୨ଟି ଜୋନ ସମ୍ମାନର ପ୍ରଶ୍ନ ହୋଇଛି । ଅନ୍ୟପକ୍ଷରେ ଗତଥର ୨ଟି ଯାକ ଜୋନ ଦଖଲ କରିଥିବା ବିଜେପି ଦଳ ପୁନର୍ବାର ଗଡ଼ ଦଖଲ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଦେଇଛି । ଜୋନ-୩ ଜିଲ୍ଲାପରିଷଦ ଆସନ ପାଇଁ ସଂଯୁକ୍ତା ମେହେର ଆଜି ବିଜେଡି ପ୍ରାର୍ଥିନି ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ସେ ଲାଠୋରର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସତ୍ୟନାରାୟଣ ମେହେରଙ୍କ ବୋହୁ ଅଟନ୍ତି । ଏହି ଜୋନ ପାଇଁ ଲାଠୋରର ସରପଞ୍ଚ ପ୍ରବୀଣ ଅଗ୍ରୱାଲଙ୍କ ପତ୍ନୀ ପାୟଲ ଅଗ୍ରୱାଲଙ୍କୁ ବିଜେପି ପ୍ରାର୍ଥିନି ଭାବେ ଘୋଷଣା କରାଯାଇଛି । ସେହିପରି ଜୋନ-୪ ପାଇଁ ସାନଉଡେନର ମଧୁ ବରିହାଙ୍କ ପତ୍ନୀ ସନ୍ତୋଷିନୀ ବରିହାଙ୍କୁ ବିଜେପି ପ୍ରାର୍ଥିନି କରିଥିବା ବେଳେ ବିଜେଡିରୁ ପ୍ରାର୍ଥିନି ପ୍ରମିଳା ପାଥରଙ୍କ ନାମ ଜଣାପଡିଛି । ଅନ୍ୟପକ୍ଷରେ ସରପଞ୍ଚ ଏବଂ ସମିତିସଭ୍ୟ ଆଶାୟୀ ପ୍ରାର୍ଥୀ ମାନେ ବିଭିନ୍ନ ରାଜନୈତିକ ଦଳର ସମର୍ଥନ ପାଇବା ପାଇଁ କସରତ କରୁଥିବା ଜାଣିବାକୁ ମିଳିଛି । କିଛି ପୁରୁଣା ନେତା ପୁନର୍ବାର ସେମାନଙ୍କର ଗାଦି ହାସଲ କରିବା ପାଇଁ କଲବଳ କୌଶଳ ଆପଣାଉଥିବା ଦେଖାଦେଇଛି । ଏଥିପାଇଁ ସେମାନେ ନିଜ ପଞ୍ଚାୟତ ଛାଡି ଅନ୍ୟ ପଞ୍ଚାୟତରେ ଲଢେଇ କରିବାକୁ ମନ ବଳାଇଥିବା ବେଳେ କେତେକ ପଞ୍ଚାୟତରେ ସେମାନେ ଗ୍ରହଣୀୟ ହେଉନଥିବା ଦେଖିବାକୁ ମିଳିଛି । ଖପ୍ରାଖୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଥିବାରୁ ଏହି ପଦରେ ବସିବା ପାଇଁ ବହୁ ଅଶାୟୀ ପ୍ରାର୍ଥୀ ସେମାନଙ୍କର ରଣକୌଶଳ ଜୋରଦାର କରିଦେଇଛନ୍ତି । ଆଜି ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ସମୁଦାୟ ୧୩୦ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସରପଞ୍ଚ ପାଇଁ ୩୩ ଜଣ, ସମିତି ସଭ୍ୟ ପାଇଁ ୩୫ ଜଣ ଏବଂ ୱାର୍ଡ ସଭ୍ୟ ପାଇଁ ୧୦୨ ଜଣ ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡିଛି । ଧଣ୍ଡାମୁଣ୍ଡା ପଞ୍ଚାୟତ ନିମନ୍ତେ ସରପଞ୍ଚ ପାଇଁ ୧୧ଟି ଫର୍ମ ବିକ୍ରି ହୋଇଥିବାବେଳେ ଏଠାରେ ବର୍ତ୍ତମାନର ସରପଞ୍ଚଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ପଦ ଦୌଡରେ ଥିବା ଜାଣିବାକୁ ମିଳିଛି ।