
ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ : ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
ଭୁବନେଶ୍ୱର : ସିକ୍କିମ ତିସ୍ତା ନଦୀରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ବସ୍ରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଏହାର ସୁପରିଚାଳନା ପାଇଁ ଓଡ଼ିଶାରୁ ଅଧିକାରୀମାନଙ୍କ ଏକ ସ୍ୱତନ୍ତ୍ର ଟିମ୍ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାନୁଯାୟୀ, ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ-ମୁନସିଥାଙ୍ଗ ମଧ୍ୟରେ ପ୍ରାୟ ୧ ହଜାର ଫୁଟ ତଳକୁ ତିସ୍ତା ନଦୀରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଗାଡି ଖସିପଡିଥିଲା । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ଓ ଇଣ୍ଡୋ-ତିବତ ସୀମା ସୁରକ୍ଷା ବଳ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଉଦ୍ଧାର କାର୍ଯ୍ୟରେ ଯବାନଙ୍କୁ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିଲେ । ଗୁରୁତରମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍ରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଅନେକ ଯାତ୍ରୀ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଅନ୍ୟ ସ୍ଥାନର ଥିବା ଜଣାପଡ଼ିଛି ।