ମନରେଗା ପାରିଶ୍ରମିକ ନପାଇବାରୁ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା, ଶ୍ରମିକଙ୍କୁ ବୁଝାଇବାରେ ନାକେଦମ୍ ପୋଲିସ ପ୍ରଶାସନ
ଖପ୍ରାଖୋଲ, (ଅଶୋକ ବାଗ) : ମନରେଗା ପାରିଶ୍ରମିକ ନପାଇବାରୁ ରାସ୍ତାକୁ ଓହ୍ଲାଇଛନ୍ତି ଶ୍ରମିକମାନେ । ଏପରିକି ଅସନ୍ତୁଷ୍ଟ ଶ୍ରମିକମାନେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଶ୍ରମିକଙ୍କୁ ବୁଝାଇବାରେ ନାକେଦମ୍ ହୋଇଛି ପୋଲିସ ପ୍ରଶାସନ । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ୍ ମହରାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମର ଶ୍ରମିକମାନେ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରି ପାରିଶ୍ରମିକ ଦାବୀରେ ଭଙ୍ଗାରୁଜା କରିଛନ୍ତି । ନିଜ ହକ୍ ପାଇବା ପାଇଁ ସେମାନଙ୍କୁ ଏଭଳି ପଦକ୍ଷେପ ନେବାକୁ ପଡ଼ିଛି ବୋଲି ସେମାନେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ବ୍ଲକ୍ ଏକ ଗରିବ ତଥା ଦାଦନପ୍ରବଣ ଅଂଚଳ ହୋଇଥିବା ବେଳେ ସଂପୃକ୍ତ ଅଂଚଳରୁ ପ୍ରତି ବର୍ଷ ହଜାର ହଜାର ଶ୍ରମିକ ପେଟ ପୋଷିବା ପାଇଁ ଅନ୍ୟ ରାଜ୍ୟକୁ ଇଟା ଗଢ଼ିବା କାମରେ ଯାଇଥାନ୍ତି । ଏଭଳି ଅଂଚଳରେ ଶ୍ରମିକମାନେ ମନରେଗା ପାରିଶ୍ରମିକ ଟଙ୍କା ନପାଇବା ପ୍ରଶାସନିକ ଅବହେଳାକୁ ସିଧାସଳଖ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ଆଲୋଚନା ହେଉଛି । ଘଟଣା ସ୍ଥଳରେ ଏଡିସନାଲ କଲେକ୍ଟର କ୍ଷୀରୋଦ୍ର ସାହୁ, ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ, ଲାଠୋର ଥାନାଧିକାରୀ ଝସକେତନ ଭୋଇ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏବଂ ବିପୁଳ ପରିମାଣରେ ପୋଲିସ ମୁତୟନ ଅଛନ୍ତି । ଏହି ଘଟଣା ଉପରେ ଦୃଷ୍ଟି ଦେଇ ଜିଲ୍ଲାପାଳ ତୁରନ୍ତ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।