ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ : ବଲାଙ୍ଗିରରେ-ଯୋଗ ଦେବେ ସହସ୍ରାଧିକ ସଂକୀର୍ତ୍ତନ କଳାକାର
ବଲାଙ୍ଗିର, (କେପିଏନ୍ଏସ୍) : ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ ପରିଷଦର ସହଯୋଗରେ ସଦାଇପାଲି ପଲ୍ଲିଶ୍ରୀବିହାର ରାଧାକୃଷ୍ଣ ମନ୍ଦିର ପରିସରରେ ଆସନ୍ତା ମାର୍ଚ୍ଚ ୩୧ ରବିବାର ଦିନ ସକାଳ ୯ଟାରୁ ଅନୁଷ୍ଠିତ ହେବ ବୋଲି ଆଜିର ପ୍ରସ୍ତୃତି ବୈଠକରେ ଘୋଷଣା କରାଯାଇଥିଲା । ଏହି ବୈଠକରେ ବଲାଙ୍ଗିର ଜିଲ୍ଲା ସଂକୀର୍ତ୍ତନ ପରିଷଦର ସଭାପତି ଡ. ନାରାୟଣ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ । ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦ ତରଫରୁ ଅଶୋକ ପଧାନ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରି ଏହି ଉତ୍ସବକୁ କନ୍ଧମାଳ ଜିଲ୍ଲା ସହ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରୁ ସହସ୍ରାଧିକ ସଂକୀର୍ତ୍ତନ କଳାକାରଙ୍କ ସହ ୧୫ଟି ସଂକୀର୍ତ୍ତନ ଦଳ ଯୋଗଦାନ କରିବା ସୂଚନା ପ୍ରଦାନ କରିଥିଲେ । ସମସ୍ତ ୧୫ଟି ସଂକୀର୍ତ୍ତନ ଦଳ ସଦାଇପାଲି ଗ୍ରାମରେ ନଗର କୀର୍ତ୍ତନ କରିବା ପରେ ପରିଷଦର ବୈଠକ ବସିବ । ସଂକୀର୍ତ୍ତନ କଳାକାରମାନଙ୍କ ସମସ୍ୟାର ସମାଧାନ ସହ ଭାଗବତ ଟୁଙ୍ଗୀମାନଙ୍କ ପୁନଃ ଉଦ୍ଧାର ବିଷୟ ଚର୍ଚ୍ଚା କରିବା ସହ କୃତି କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରି ଏକ ସ୍ମରଣୀକା ଉନ୍ମୋଚନ କରାଯିବ ବୋଲି ସୂଚନା ଦିଆଯାଇ ଥିଲା । ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଆଜିର ବୈଠରେ ବିଭିନ୍ନ ଉପ-ସମିତି ଗଠନ କରାଯାଇଛି । ଆୟୋଜକ କମିଟିର ଉପଦେଷ୍ଟା ସମାଜସେବୀ ଡ. ଶ୍ରୀକର ମିଶ୍ର ଅଭ୍ୟର୍ଥନା କମିଟିର ଦାୟିତ୍ୱ ବହନ କରିଥିବା ବେଳେ ନଗର କୀର୍ତ୍ତନ ପରିଚାଳନାରେ ସଂଯୋଜକ ଭରତ ସାହୁ, ପୁଇଁନ୍ତଲା ବ୍ଲକ ସଭାପତି ଗୌରାଙ୍ଗ ମିଶ୍ର, ଆଗଲପୁର ବ୍ଲକ ସଭାପତି ଗୌର ପଟେଲ ଓ ଲୋଇସିଂହା ବ୍ଲକ ସଭାପତି ଚୈତନ୍ୟ ପଧାନ କାର୍ଯ୍ୟ ତୁଳାଇବା ପାଇଁ ନିଷ୍ପତ୍ତି ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଡା. ପ୍ରମୋଦ କୁମାର ମିଶ୍ର, ଆଦିତ୍ୟ ପଟ୍ଟନାୟକ, ପ୍ରଫୁଲ୍ଲ ମିଶ୍ର, ଶମ୍ଭୁ ପ୍ରସାଦ ନାଏକ, ରାଧାକାନ୍ତ ନାଏକ, ରୁଦ୍ରପ୍ରସାଦ ସାଏ, ପ୍ରେମାନନ୍ଦ ସାଏ, ପ୍ରତାପ ଯୋଶୀ, ଶାନ୍ତନୁ ମିଶ୍ର, ବିରଂଚି ସାଏ, ଭାଗବତିଆ ଅଦାବରିଆ, ସୁବାଷ ଦାଶ, ଦିଗାମ୍ବର ସାଏ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ବଲାଙ୍ଗିର ବ୍ଲକ ସଭାପତି ରମେଶ ଚନ୍ଦ୍ର ନାଏକ ଧନ୍ୟବାଦ ଦେଇଥିଲେ ।