ଭୁବନେଶ୍ୱର, (ପିଆଇବି) : ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ବିଭିନ୍ନ ଶିକ୍ଷକ-ଶିକ୍ଷା କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ-୨୦୨୫) ସଫଳତାର ସହ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର, ଭୋପାଳ, ମୈସୁରୁ, ଆଜମେର, ଶିଲଂ ଏବଂ ନେଲୋରରେ ଅବସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ବିଏ-ବିଏଡ୍, ବିଏସସି-ବିଏଡ୍, ଏମଏସସି-ଏମଏଡ୍, ବିଏଡ୍, ଏମଏଡ୍, ବିଏଡ୍-ଏମଏଡ୍ ଏବଂ ଏମଏ (ଶିକ୍ଷା ପ୍ରଯୁକ୍ତିବିଦ୍ୟା) ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପ୍ରବେଶିକା ପରୀକ୍ଷା ୧୩ ଜୁଲାଇ ୨୦୨୫ (ରବିବାର)ରେ କମ୍ପ୍ୟୁଟର-ଆଧାରିତ ପରୀକ୍ଷା (ସିବିଟି) ସାରା ଦେଶରେ ୮୦ଟି ପରୀକ୍ଷା କେନ୍ଦ୍ରରେ ସୁଗମ ଭାବରେ ପରିଚାଳନା କରାଯାଇଥିଲା । ଏଥିରେ ଓଡ଼ିଶାର ୪୪ଟି ପରୀକ୍ଷା କେନ୍ଦ୍ର ଅନ୍ତର୍ଭୁକ୍ତ ଥିଲା । ଏହି ପରୀକ୍ଷା ପାଇଁ ମୋଟ ୨୨ ହଜାରରୁ ଅଧିକ ପ୍ରାର୍ଥୀ ପଞ୍ଜୀକରଣ କରିଥିଲେ । ଏନସିଇଆରଟି-ସମ୍ବନ୍ଧିତ ଶିକ୍ଷକ-ଶିକ୍ଷା କାର୍ଯ୍ୟକ୍ରମରେ ନାମ ଲେଖା ପାଇଁ ଆଶାୟୀଙ୍କ ନିମନ୍ତେ ଏହି ପରୀକ୍ଷା ଏକ ପ୍ରମୁଖ ପ୍ରବେଶ ମାର୍ଗ । ନୋଡାଲ୍ ପ୍ରତିଷ୍ଠାନ ଭାବରେ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ପରୀକ୍ଷାର ସୁଗମ ପରିଚାଳନା କରିଛି । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ, ଏବଂ ସିଇଇ-୨୦୨୫ ଜାତୀୟ ସଂଯୋଜକ ଡକ୍ଟର ଅରୂପ କୁମାର ସାହା ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପରିଚାଳନା କରିଥିଲେ । ଏଥିରେ ଏନସିଇଆରଟି ନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ଓ ସଚିବ ପ୍ରମୁଖ ମାର୍ଗଦର୍ଶନ ଦେଇଥିଲେ । ପରୀକ୍ଷାର ସଫଳ ପରିଚାଳନାରେ ସହାୟତା କରିଥିବାରୁ ଅଧ୍ୟକ୍ଷା ପ୍ରଫେସର ଗୋସ୍ୱାମୀ ସମସ୍ତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି ।
