ସ୍କାଉଟ, ଗାଇଡ୍, କବ୍‌ ଓ ବୁଲବୁଲର ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍କାଉଟ, ଗାଇଡ୍, କବ୍ ଓ ବୁଲବୁଲର ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍କାଉଟ, ଗାଇଡ୍‌ର ଜିଲ୍ଲା କମିଶନର ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଅନୁଷ୍ଠାନର ରାଜ୍ୟ ଉପସଭାପତି ଶାରଦା ପ୍ରସାଦ ନାୟକ ଓ ଭୁବନେଶ୍ଵରର ସାଙ୍ଗଠନିକ କମିଶନର ସୌମ୍ୟ ପାଇକରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପରୀକ୍ଷା ଶିବିରରେ ଜିଲ୍ଲାର ୩୦ଟି ସ୍କୁଲର ୪୦୦ରୁ ଅଧିକ ସ୍କାଉଟ, ଗାଇଡ୍, କବ୍ ଓ ବୁଲବୁଲ ମାନେ ଯୋଗଦେଇ ୩ ଫେଜ ବିଶିଷ୍ଟ ମ୍ୟାପିଂ, ଫାଷ୍ଟଏଡ୍, ଜାତୀୟ ପତାକାର ବିବରଣୀ, ସାମାଜିକ ସେବା ଶିବିର, କ୍ୟାମ୍ପ ଫାୟାର, (ନଟିଂ) ଗଣ୍ଠି ପକାଇବା ଓ ଖୋଲିବା ତଥା ଚରିତ୍ର ଗଠନ ସମ୍ପର୍କରେ ପରୀକ୍ଷା ଦେଇଥିଲେ । ଦୁଇଦିନ ଧରି ସ୍କାଉଟ ଭବନ ଠାରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଏହି କାର୍ଯ୍ୟକ୍ରମର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରମାକାନ୍ତ ମଲ୍ଲିକ, ଅରୁଣ କୁମାର ସ୍ୱାଇଁ, ଅଭୟ ବିଶ୍ୱାଳ, ସୁଶାନ୍ତ ବିଶ୍ୱାଳ, ସୁଜିତ୍ ତନ୍ତୀ, ଶ୍ରୀବତ୍ସ ସାମଲ, ନିରଞ୍ଜନ ମଲ୍ଲିକ, ପ୍ରବୀର ମିଶ୍ର, ସୁରେଶ ପଣ୍ଡା, ବଳଦେବ ମିଶ୍ର, ଆଦିତ୍ୟ ନାୟକ, ବିଜୟ ଦାସ, ସୀମା ଚକ୍ରବର୍ତ୍ତୀ, ଲକ୍ଷ୍ମୀ ସାହୁ, ସରିତା ନାୟକ, କଳ୍ପନା ବେହେରା, ମେରୀ ସାହୁ, ସୁଜାତା ଦାସ, ସୁପ୍ରିୟା ସାମଲ, ପ୍ରମୋଦିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ କମିଶନର ଶ୍ରୀ ଦାଶ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶେଷରେ ସମ୍ପାଦକ ଶ୍ରୀ ନାୟକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.