ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ପରୀକ୍ଷା ଆଗରୁ ଝୁଲି ପଡ଼ିଲେ ବଲାଙ୍ଗିର ବିଶ୍ୱାତ୍ମ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ର । ଆଜି ସକାଳୁ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ବଲାଙ୍ଗିର ବିଶ୍ୱାତ୍ମ ବିଦ୍ୟାମନ୍ଦିର ସ୍କୁଲ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଛାତ୍ର ଜଣକ ହେଲେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ତଲିଉଡ଼ାର ଗାଁର ରାତ୍ର ପ୍ରଧାନଙ୍କ ପୁଅ ବିନାୟକ ପ୍ରଧାନ । ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ବିନାୟକ ଜଣେ ମେଧାବୀ ଛାତ୍ର, ସେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସହପାଠୀ ମାନଙ୍କ ସହ ପାଠ ପଢୁଥିଲେ । ପାଖାପାଖି ୧୨ଟା ସମୟରେ ପାଠ ପଢା ସାରି ଶୋଇବାକୁ ଯାଇଥିଲେ ବିନାୟକ । ସକାଳୁ ସକାଳୁ ସହପାଠୀ ମାନେ ଉଠି ଏକ ଗାମୁଛାରେ ବିନାୟକ ଝୁଲୁ ପଡ଼ିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ସହପାଠୀମାନେ ତାଙ୍କୁ ତଳକୁ ଆଣି ବଂଚାଇବାକୁ ଚେଷ୍ଟା କରିଥିବା ସୂଚନା ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ବିନାୟକଙ୍କ ମୃତ୍ୟୁ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଜିଠୁ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ବିନାୟକଙ୍କ ମୃତ୍ୟୁ ନେଇ ବଲାଙ୍ଗିରରେ ଏକ ଶୋକର ଛାୟା ଖେଳଯାଇଛି ।