ବିଜ୍ଞାନର ଦ୍ଵାହିଦେଇ ଧାର୍ମିକ ବିଶ୍ୱାସର ପରିହାସ ନିନ୍ଦନୀୟ- କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ସୂର୍ଯ୍ୟପରାଗ ଦିନ ସର୍ବସାଧାରଣରେ ଚିକେନ ବିରିୟାନୀ ଭୋଜିର ଆୟୋଜନ କରି କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ବିଶ୍ୱାସକୁ ପରିହାସ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଶ୍ୱହିନ୍ଦୁ ପରିଷଦ ନେତା ଶାନ୍ତନୁ କୁସୁମ । ଏହି ପରିପ୍ରେକ୍ଷୀରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଧର୍ମ ଆଉ ବିଜ୍ଞାନ ହେଉଛନ୍ତି ପରସ୍ପରର ପରିପୂରକ । ବିଜ୍ଞାନ ବିନା ଧର୍ମ ଅଧୁରା ଏବଂ ଧର୍ମ ବିନା ବିଜ୍ଞାନ ବାଟବଣା । ବିଶ୍ୱ ପ୍ରସିଦ୍ଧ ବୈଜ୍ଞାନିକ ଆଇନଷ୍ଟାଇନ ମଧ୍ୟ ଧର୍ମ ଓ ବିଜ୍ଞାନ ଭିତରେ ଥିବା ନିବିଡ ସମ୍ପର୍କର ଅବତାରଣା କରିଥିଲେ । ତା’ଛଡା ବୈଜ୍ଞାନିକ ଦୃଷ୍ଟିକୋଣରୁ ସୂର୍ଯ୍ୟପରାଗ ସମୟରେ ହଜମଜନିତ ସମସ୍ୟା ସୃଷ୍ଟି ହେଉଥିବାରୁ ହାଲୁକା ଖାଦ୍ୟ ଖାଇବା ଅଥବା ଉପବାସ କରିବାର ପରାମର୍ଶ ଦିଆଯାଇଥାଏ । ଯେହେତୁ ରନ୍ଧନ କରାଯାଉଥିବା ଖାଦ୍ୟରେ ଖାଦ୍ୟସାରର ପରିମାଣ ଅଧିକ ରହିଥାଏ, ତେଣୁ ସେଭଳି ଖାଦ୍ୟକୁ ନିରୁତ୍ସାହିତ କରିବାକୁ ପାକ ନିଷେଧର ପରିକଳ୍ପନା । ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ, ସନାତନ ହିନ୍ଦୁ ସଂସ୍କୃତି କୌଣସି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭିତରେ ପରିବେଷ୍ଟିତ ନୁହେଁ । କାରଣ ଯେତେବେଳେ ସାରା ଦୁନିଆ ଶିକ୍ଷା ଆଉ ବିଜ୍ଞାନ କ’ଣ ଜାଣିନଥିଲା, ସେତେବେଳେ ଭାରତରେ ଲକ୍ଷ ଲକ୍ଷ ଗୁରୁକୂଳ ଚାଲିଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଗଠନର ପାଞ୍ଚ ସହ ବର୍ଷ ପୂର୍ବରୁ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବଂ ହଜାରେ ବର୍ଷ ପୂର୍ବରୁ ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତରେ ପ୍ରତିଷ୍ଠିତ ହୋଇଥିଲା । ତେଣୁ ବିଜ୍ଞାନର ଦ୍ଵାହି ଦେଇ ଉଦ୍ଦେଶ୍ୟମୂଳକ ଭାବରେ କୋଟି କୋଟି ହିନ୍ଦୁଙ୍କ ଧାର୍ମିକ ବିଶ୍ୱାସକୁ ପରିହାସ କରିଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଭିଏଚପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!