
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ଆହ୍ଵାନକ୍ରମେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ବହୁ ଆଉଟସୋର୍ସିଂ କର୍ମଚାରୀ ବୁଧବାରଠାରୁ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ କରୁଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରୁଥିବା ଏହି କର୍ମଚାରୀମାନଙ୍କ ଦାବୀଗୁଡ଼ିକ ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନର ଦାବିଗୁଡିକୁ ଅଣଦେଖା କରାଯାଇ ବ୍ୟାପକ ଛଟେଇ ସହ ଅନିୟମିତ ଦରମା ଓ ବିଭାଗୀୟ ଚିଠି ସତ୍ତ୍ୱେ ବର୍ଦ୍ଧିତ ଦରମା ଲାଗୁ ନ ହେବା ଯୋଗୁଁ ରାଜ୍ୟର ହଜାର ହଜାର ଠିକା କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଉଟସୋର୍ସିଂ ଭଳି ଅନ୍ୟାୟ ତଥା ଶୋଷଣକାରୀ ବ୍ୟବସ୍ଥାର ବିଲୁପ୍ତି ପାଇଁ ନୂଆଁ ସରକାରଙ୍କ ସହ କ୍ରମାଗତ ଭାବେ ମହାସଂଘର ରାଜ୍ୟ ନେତୃତ୍ୱ ଯୋଗାଯୋଗ କରି ଆସୁଥିଲେ ହେଁ ସମସ୍ୟାର କୌଣସି ସମାଧାନ ହୋଇନଥିବା ଜଣାପଡିଛି । ସଠିକ୍ ଭାବେ ଦାବୀ ଉପସ୍ଥାପନ ସହ ନ୍ୟାୟୋଚିତ ବ୍ୟବସ୍ଥା ଗ୍ରହଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ଉଦ୍ଦେଶ୍ୟରେ ଆସନ୍ତା ୨୬ତାରିଖରେ ଭୁବନେଶ୍ଵର ଗାନ୍ଧୀମାର୍ଗରେ ରାଜ୍ୟ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ଗଣବିକ୍ଷୋଭ କରାଯିବ ବୋଲି କର୍ମଚାରୀମାନଙ୍କ ପକ୍ଷରୁ ସୂଚନା ମିଳିଛି । ମୁରିବାହାଲ ବ୍ଲକ କାର୍ଯ୍ୟାଳୟର ଆଉଟସୋର୍ସିଂ କର୍ମଚାରୀ ରଶ୍ମିରଞ୍ଜନ ସରାଫ, ପୂଜା ଖର୍ସେଲ, ବବିତା ଘିବେଲା, ରାଜ ସିଂ ବାବୁ, ହରିହର ବାଗ, ସୁଧାଂଶୁ ଭୋଇ, ରବୀନ୍ଦ୍ର ବେହେରା, ଶ୍ରୀକାନ୍ତ ଜେନା, ଲୋକନାଥ ନାଏକ, ପ୍ରେମାନନ୍ଦ ମହାନନ୍ଦ, ବନମାଳୀ ପୁଟେଲ ଓ ରୁପେଶ କୁମାର ଶାଣ୍ଢ ପ୍ରମୁଖ କଳାବ୍ୟାଜ୍ ପରିଧାନ କରି ଏହି ପ୍ରତିବାଦ କରୁଥିବା ଜଣାପଡିଛି ।