ବଲାଙ୍ଗିର, (କେପିଏନ୍ଏସ୍) : ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ମିଳିତ ସହଯୋଗରେ ପାରମ୍ପାରିକ ଧାନ ଏବଂ ପୋଷକତତ୍ଵ ଧାନର କ୍ଷେତ୍ର ପରିଦର୍ଶନକୁ ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ବିଭାଗ ମନ୍ତ୍ରୀ, ଓଡିଶା ସରକାର କନକ ବର୍ଦ୍ଧନ ସିଂଦେଓଙ୍କ ରାଜେନ୍ଦ୍ର ଏକ୍ସପେରିମେଣ୍ଟ ଫାର୍ମକୁ ପରିଦର୍ଶନ କରିଥିଲେ । ପ୍ରକାଶ ଥାଉକି କୃଷି ବିଭାଗ ବଲାଙ୍ଗିର ଏବଂ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ମିଳିତ ସହଯୋଗ ତଥା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏବଂ ରାଜ୍ୟ ବିହନ ପରୀକ୍ଷାଗାର ପ୍ରତ୍ୟକ୍ଷ ତତ୍ୱାବଧାନରେ ବଲାଙ୍ଗିର ଜିଲ୍ଲାରେ ୧୧୨ ପ୍ରକାର ପାରମ୍ପରିକ ଧାନ ମଧ୍ୟରୁ ୬୧ ପ୍ରକାରର ଧାନକୁ ପରୀକ୍ଷା ମୂଳକ ଭାବେ ଜୈବିକ ପଦ୍ଧତି ଅବଲମ୍ଭନ କରି ଚାଷ କରାଯିବା ସହିତ ୧୩ ପ୍ରକାରର ସରକାରୀ ସ୍ବୀକୃତି ପ୍ରାପ୍ତ ଜିଙ୍କ, ପ୍ରୋଟିନ ଏବଂ ଲୋ ଜିଆଲ ଥିବା ଧାନକୁ ୫/୫ ବର୍ଗ ମିଟର ଓ ୩/୩ ବର୍ଗ ମିଟରରେ ପରୀକ୍ଷା କରାଯାଇଛି । ଉପ ମୁଖ୍ୟମନ୍ତ୍ରୀ ବିସ୍ତୃତ ଭାବରେ ବିଭାଗୀୟ ଅଧିକାରୀ ଇରିର କର୍ମକର୍ତ୍ତାଙ୍କ ସହ ପ୍ରତ୍ୟେକ କିସମର ଗୁଣବତ୍ତା ଉପରେ ଆଲୋଚନା କରିବା ସହିତ ଓଡିଶାର କୃଷକ ମାନଙ୍କୁ ତଥା ବଲାଙ୍ଗିର ପ୍ରମୁଖ କିସମକୁ ପ୍ରଚଳିତ କରିବା ନିମିତ୍ତ ବିଭାଗୀୟ କର୍ମକର୍ତ୍ତାକୁ ନିର୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପରେ ନିକଟରେ ଥିବା ଆଞ୍ଚଳିକ ପ୍ରଶିକ୍ଷଣ ତାଲିମ କେନ୍ଦ୍ରକୁ ପରିଦର୍ଶନ କରି ଅନୁଷ୍ଠାନର କାର୍ଯ୍ୟକ୍ରମ ଗୁଡ଼ିକ ଅନୁଧ୍ୟାନ କରିଥିଲେ । ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ପ୍ରଗତି ପୁଇଁତଳା କୃଷକ ସଂଗଠନ ଏବଂ ନାବାର୍ଡର ମିଳିତ ସହଯୋଗରେ ପୋଷକତତ୍ଵ ଧାନ ଡି.ଆର.ଆର. -୬୭, ତେଲେଙ୍ଗାନା ସୋନ ଦ୍ଵାରା ପ୍ରସ୍ତୁତ ଚୂଡା ଏବଂ ଚାଉଳକୁ ଦେଖି କୃଷକ ଉତ୍ପାଦକ ସଂଗଠନକୁ ପ୍ରଶଂସିତ କରିଥିଲେ । ଏଥି ସହିତ ଉପମୁଖ୍ୟମନ୍ତ୍ରୀ ବଲାଙ୍ଗିର ଜିଲ୍ଲାରେ ତାଳ ତେଲ (ପାମ ଅଏଲ)ର ପ୍ରଚାର ପ୍ରସାର ପାଇଁ, ଏମ-୧୧ ଏନର୍ଜି ଟ୍ରାଞ୍ଜିସନ ପ୍ରାଇଭେଟ ଲିମିଟେଡର ଉପ ମୁଖ୍ୟ ପରିଚାଳକ ଶମ୍ଭୁ ସ୍ଵାଇଁଙ୍କ ସହିତ ପାମ ଅଏଲ ଚାଷ ଉପରେ, ବିଶେଷ କରି ସୌର ଶକ୍ତି ଦ୍ଵାରା ପରିଚାଳିତ ଓ ଜଳସେଚନ କ୍ଷେତ୍ର ମାନଙ୍କରେ ପାମ ଅଏଲକୁ ଚାଷ କରିବା ପାଇଁ ଗୁରୁତ୍ଵାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସମାଜସେବୀ ଗୋପାଳଜୀ ପାଣିଗ୍ରାହୀ, ଲୋକ ସଭା ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ବାଳକୃଷ୍ଣ ଧାରୁଆ, ବରିଷ୍ଠ ଆଇନଜୀବୀ ଭବାନୀ ଶଙ୍କର ଶତପଥୀଙ୍କ ସହିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂହ ବରିହା, ଇରିର କୃଷି ବିଶେଷଜ୍ଞ ଦିଲୀପ କୁମାର ରାଉତ, କୃଷି ବିଜ୍ଞାନ କେନ୍ଦ୍ରର ସତ୍ୟମୟ ଶତପଥି ଏବଂ ରାଇଟର ଅଧ୍ୟକ୍ଷ ସୁଧାକର ନନ୍ଦ ଉପସ୍ଥିତ ଥିଲେ ।