ଜିଲ୍ଲାପାଳଙ୍କ ପୋଷ୍ୟ ବିଦ୍ୟାଳୟ ବିଶ୍ୱନାଥ ବିଦ୍ୟାପୀଠ ପରିଦର୍ଶନ

ଆଠଗଡ : ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୋମବାର ପରିଦର୍ଶନରେ ଆସି ସ୍କୁଲର ବିଭିନ୍ନ ସମସ୍ୟା ଏବଂ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଅପରାହ୍ନରେ ଜିଲ୍ଲାପାଳ ପହଞ୍ଚିବା ପରେ ପ୍ରଥମେ ବର୍ଷାଜଳ ଝରୁଥିବା ସଙ୍ଗୀତ ଶ୍ରେଣୀକକ୍ଷ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ ଏହାର ସ୍ଥାୟୀ ପ୍ରତିକାର କରିବା ଲାଗି ଉପସ୍ଥିତ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି ଓ ଆଠଗଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଜିଲ୍ଲାପାଳ ପୋଷ୍ୟ ସ୍କୁଲ ଭାବେ ମୋ ସ୍କୁଲ ଅଭିଯାନ ଯୋଜନାରେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା କେତେକ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ସେଗୁଡିକୁ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ତତ୍‍ସହିତ ଜିଲ୍ଲାପାଳ ବିଶ୍ୱନାଥ ବିଦ୍ୟାପୀଠର ଦଶମ ଶ୍ରେଣୀର ୧୫ଜଣ ଛାତ୍ର ଏବଂ ସରକାରୀ ବାଳିକା ହାଇସ୍କୁଲର ୧୫ଜଣ ଛାତ୍ରୀଙ୍କୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ସ୍ୱତନ୍ତ୍ର ଭାବେ ଶିକ୍ଷାଦାନ ପ୍ରତି ଧ୍ୟାନ ଦେଇ ଆଗାମୀ ମାଟ୍ରିକ ପରୀକ୍ଷାରେ ସେମାନେ କିପରି ଏ-୧ ଗ୍ରେଡ ପାଇବେ ସେ ଦିଗରେ ସ୍କୁଲ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ପାଇଁ କହିଥିଲେ । ଏହି ବିଦ୍ୟାଳୟରେ ଚାଲିଥିବା ୫-ଟି ବିଭାଗୀୟ ରୂପାନ୍ତରିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଅନ୍ୟଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଚୟନୀ ସେମାନଙ୍କୁ ନିଜ ସ୍କୁଲରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିବା ସହ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କରାଯାଇଥିବା ଉନ୍ନୟନ କାର୍ଯ୍ୟର ରକ୍ଷଣା ବେକ୍ଷଣ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ପ୍ରଧାନଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କର ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ତହସିଲଦାର ପ୍ରିୟବ୍ରତ ଦାସ, ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମର ମହାରଣା, ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ, ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରା, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ବେହେରାଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.