କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବରାହ ଆକ୍ରମଣରେ ୨ ଗୁରୁତର ଜଣେ ଆହତ, ଘଟଣାସ୍ଥଳକୁ କେନ୍ଦୁପତ୍ର ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ପରିଦର୍ଶନ

  • ବରାହଙ୍କୁ ନେଇ କେନ୍ଦୁପତ୍ର ତୋଲାଲିମାନଙ୍କ ମଧ୍ୟରେ ଆତଙ୍କ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅଧୀନସ୍ଥ ସୁଲିଆ ଡ଼ଙ୍ଗରକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବରାହ ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଗୁରୁତର ମହିଳାମାନେ ହେଲେ କୁମ୍ଭାରୀ ଗାଁର ଦେବକୀ ରଣା (୪୦) ଓ ଇନ୍ଦୁରେଖା ଛତ୍ରିଆ (୩୬) ଓ ଆହତ ମହିଳା ଜଣକ ହେଲେ ସତ୍ୟଭାମା ଥପା (୪୭) ଘର ଲମକାନୀ ଗାଁର ବୋଲି ଜଣାପଡିଛି । ଖବର ପାଇଁ ତାଲବାହାଲ ପଞ୍ଚାୟତ ସରପଞ୍ଚ ନନ୍ଦି କିଶୋର ବଗର୍ତି ଓ ଯୁବ ସ୍ୱେଚ୍ଛାସେବୀ ପରେଶ ସାହୁ ଘଟଣାସ୍ଥଳକୁ ପହଂଚି ଆମ୍ବୁଲାନ୍ସକୁ ଫୋନ କରି ସଇଁତଲା ଡାକ୍ତରଖାନାକୁ ଅଣାଯାଇଥିଲା । ଏହି ଠାରେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏଥିରେ ଦେବକୀଙ୍କ ହାତ, ଗୋଡ଼, ପିଛା ଓ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ଇନ୍ଦୁରେଖାଙ୍କ ମଧ୍ୟ ହାତ ଭାଙ୍ଗିଥିବା ସହ ଆଘାତ ଲାଗିଥିବା ଜଣାଯାଇଛି । ପ୍ରକାଶ ଯେ, ଆଜି ଭୋରରୁ ଲମକାନୀ ପାଖରେ ଥିବା ସୁଲିଆ ଡ଼ଙ୍ଗରକୁ କେନ୍ଦୁପତ୍ର ତୋଳିବାକୁ କୁମ୍ଭାରୀର ଦେବକୀ ରଣା, ଲଳିତା ବଗର୍ତି, ସତ୍ୟଭାମା ଥପା, ଅଗସ୍ତି ଥପା, କଲ୍ୟାଣୀ ରଣା, ସଂଜୁଲତା ରଣା ସାଙ୍ଗରେ ଜଙ୍ଗଲକୁ ଯାଇ କେନ୍ଦୁପତ୍ର ତୋଳୁ ଥିଲେ । ହଠାତ୍‌ ଏକ ବିରାଟ ବରାହ ଆସି ଦେବକୀକୁ ଆକ୍ରମଣ ଆରମ୍ଭ କଲା ସମୟରେ ଏକ କୁକୁର ଦଳ ପହଂଚିବାରୁ ବରାହ ଉକ୍ତ ମହିଳାକୁ ଛାଡି ଚାଲି ଯାଇଥିଲା ନଚେତ ବିପଦ ହୋଇଥାନ୍ତା ବୋଲି ଉପସ୍ଥିତ ଥିବା ପ୍ରତ୍ୟକ୍ଷ ମହିଳାମାନେ ପ୍ରକାଶ କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସଇଁତଲା ଜଙ୍ଗଲ ବିଭାଗ ଫରେଷ୍ଟର ଆଶୁତୋଷ ମହାକୁଡ଼ ଓ କେନ୍ଦୁଲିଫ ଫରେଷ୍ଟର ଆଶିଷ ବେହେରା, କୁମ୍ଭୀରୀ ସରପଞ୍ଚ ଶୈଳନ୍ଦ୍ରୀ ମହାନନ୍ଦ, ନାଏକ ସରପଞ୍ଚ ବୁଲୁ ବଗର୍ତି ଡାକ୍ତରଖାନାକୁ ପହଂଚି ପରିବାର ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ଏବେ ବରାହ ଆକ୍ରମଣ ଖବର ଜାଣିବା ପରେ କେନ୍ଦୁପତ୍ର ତୋଳାଲିମାନଙ୍କ ମଧ୍ୟରେ ଭୟର ଆତଙ୍କ ଦେଖାଦେଇଛି ।

Leave A Reply

Your email address will not be published.