ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ରାଜ୍ୟ ପ୍ରକଳ୍ପ ଅଧିକାରୀ ମେଘନାଦ ବେହେରା ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓ ସ୍ ଡ ମା), ଭୁବନେଶ୍ୱର ଦ୍ଵାରା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଗୁଡିକର ଅଗ୍ରଗତି ସମ୍ପର୍କରେ ଅବଗତ ହେବା ସହିତ ସେସବୁର ସମୀକ୍ଷା ଓ ମୂଲ୍ୟାୟନ କରିଛନ୍ତି । ଏହି କ୍ରମରେ ସେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସଙ୍ଗେ ସଙ୍ଗେ ଉଦଳା ବ୍ଲକ ପରିଦର୍ଶନ କରି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରିଥିଲେ । ଏହି ଅବସରରେ ସେ ଶ୍ରୀଦାମଚନ୍ଦ୍ରପୁର ଗ୍ରାମରେ ସ୍ଵେଚ୍ଛାସେବୀ ସଂଗଠନ ଆରମ୍ଭ ଦ୍ଵାରା କରାଯାଉଥିବା ଗ୍ରାମ୍ୟ ଓ ପଞ୍ଚାୟତ ବିପର୍ଯ୍ୟୟ ପରିଚାଳନା ଯୋଜନାର ସମୀକ୍ଷା କରିଥିଲେ ଓ ଏହାର ଉପାଦେୟତା ସମ୍ବନ୍ଧରେ ସୂଚନା ଦେବା ସହିତ ଲୋକମାନଙ୍କର ମତାମତ ସଂଗ୍ରହ କରିଥିଲେ । ତତ୍ ପରେ ବିପର୍ଯ୍ୟୟ ବିପଦ ହ୍ରାସରେ ଲିଙ୍ଗ ଏବଂ ସାମାଜିକ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରାପ୍ତ କିଶୋରୀ ବାଳିକାମାନଙ୍କ ସହିତ ଏକ ଏଫ୍ ଜି ଡ଼ି ରେ ଭାଗ ନେଇ ସେମାନଙ୍କର ମତାମତ ସଂଗ୍ରହ କରିଥିଲେ । ଏହାପରେ ଭିମତାଳି ବନ୍ୟା ଆଶ୍ରୟସ୍ଥଳୀଠାରେ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ପରିଚାଳନା କମିଟି ସଭ୍ୟ/ସଭ୍ୟାଙ୍କ ସହିତ ଆଲୋଚନା କରିବା ସହିତ ଆଶ୍ରୟସ୍ଥଳୀ ମରାମତି ଓ ନବୀକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହାପରେ ବ୍ଲକ୍ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ସଭାପତି ଶ୍ରୀମତୀ ମଞ୍ଜୁଲତା ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଜନପ୍ରତିନିଧି ତଥା ବ୍ଳକ ସ୍ତରୀୟ ଅଧିକାରୀ ମାନଙ୍କ ସହିତ କାର୍ଯ୍ୟକାରୀ ହେଉଥିବା ବିପର୍ଯ୍ୟୟ ପରିଚାଳନା ଯୋଜନା ସମ୍ପର୍କରେ ଆଲୋଚନା ଓ ସମୀକ୍ଷା କରିଥିଲେ । ଏଥି ସହିତ କପ୍ତିପଦା ବ୍ଳକର ପେଡାଗଡି ପଞ୍ଚାୟତ ଅନ୍ତର୍ଗତ କରପଦା ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ନୂଆ କରି ସଂସ୍ଥାପିତ ହୋଇଥିବା ବଜ୍ରପାତ ନିରୋଧି ଆରିଷ୍ଟରର ଅନୁଧ୍ୟାନ କରିଥିଲେ । ଉଦଳା ବ୍ଲକର ସମସ୍ତ କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମରଜିତ କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ସଭାପତିତ୍ୱରେ ଆୟୋଜିତ ହୋଇଥିବା ବେଳେ ଡିପିଓ ଏମର୍ଜେନ୍ସି, ବ୍ଳକ ନୋଡାଲ ଅଫିସର ତଥା ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ନୋଡାଲ ଏନ୍ ଜି ଓ ଆରମ୍ଭର ଆଶିଷ କୁମାର ମଲ୍ଲିକ ସହଯୋଗ କରିଥିଲେ ।